ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବରକଳାପାଳ ଗ୍ରାମରେ ସୋମବାର ଏକ ଡକାୟତି ହୋଇଛି। ବ୍ୟବସାୟୀ ଅଜୟ କୁମାର ସାହୁଙ୍କ ଘରେ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପଶି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟପାଟ କରିଛନ୍ତି।
ସୂଚନା ଅନୁଯାୟୀ, ଦିନ ପ୍ରାୟ ୧:୩୦ ସମୟରେ ଦୁଇଟି ବାଇକରେ ୬ ଜଣ ଲୁଟେରା ଆସିଥିଲେ। ଅଜୟ ଘରେ ନଥିବା ବେଳେ ୪ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶିଥିଲେ। ସେମାନେ ଅଜୟଙ୍କ ପତ୍ନୀଙ୍କ ମୁଣ୍ଡରେ ବନ୍ଧୁକ ଓ ଝିଅଙ୍କ ବେକରେ ଭୁଜାଲି ଲଗାଇ ଭୟଭୀତ କରିଥିଲେ। ଲୁଟେରାମାନେ ଝିଅ ଓ ପତ୍ନୀଙ୍କ ପିନ୍ଧିଥିବା ସୁନା ଚେନ୍, ଚୁଡ଼ି, ମଙ୍ଗଳସୂତ୍ର ଓ କାନଫୁଲ ସହ ଆଲମିରାରୁ ନଗଦ ୨୫ ହଜାର ଟଙ୍କା ଓ ୩ଟି ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଫେରାର୍ ହୋଇଯାଇଛନ୍ତି।
ଏହି ସମସ୍ତ ଘଟଣା ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖମାର ଥାନା ଅଧିକାରୀ ଅରୁଣ କୁମାର ଖିଲାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାଳଲହଡା ଏସଡିପିଓ କୈଳାଶ ଚନ୍ଦ୍ର ସେଠୀ କହିଛନ୍ତି ଯେ, ସିସିଟିଭି ଫୁଟେଜକୁ ଆଧାର କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।