ମୁଖ୍ୟ ଖବର

୧୯ ରୁ ମାଟ୍ରିକ ଖାତା ଦେଖା, ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ହୋଇଛି ମୂଲ୍ୟାୟନ କେନ୍ଦ୍ର

By Angul TV Bureau

March 17, 2025

ଅନୁଗୁଳ: ଚଳିତ ବର୍ଷ ହୋଇଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଖାତା ମୂଲ୍ୟାୟନ ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଗଣଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛି।ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଠାରେ ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ୧୯ ଠାରୁ ଆରମ୍ଭ ହୋଇ ଥିବା ଏହି ମୂଲ୍ୟାୟନ କାର୍ଯ୍ୟକ୍ରମ ୧୩ ଦିନ ଧରି ଚାଲୁ ରହିବ। ଏଥି ପାଇଁ ବିଭିନ୍ନ ୟୁନିଟ୍ ଗଠନ କରି ଶିକ୍ଷକଙ୍କୁ ଖାତା ଦେଖିବା ପାଇଁ ତାଲିମ ଦିଆଯାଇଛି। ସମସ୍ତ ବିଷୟର ଖାତା ଦେଖିବା ପାଇଁ ୯ଟି ୟୁନିଟ୍ ଗଠନ କରାଯାଇଛି। ଏହି ସବୁ ୟୁନିଟରେ ସର୍ବନିମ୍ନ ୨୫ରୁ ସର୍ବାଧିକ ୩୧ ଜଣ ଲେଖାଏଁ ଶିକ୍ଷକଙ୍କୁ ରଖାଯାଇଛି। ସମସ୍ତ ବିଷୟର ଖାତା ମୂଲ୍ୟାୟନ ପାଇଁ ୨୫୦ ଜଣ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି। ପ୍ରତ୍ୟେକ ଶିକ୍ଷକ ସର୍ବାଧିକ ୫୦ଟି ପରୀକ୍ଷା ଖାତା ଦେଖିପାରିବେ। ଦୈନିକ ଖାତା ଦେଖା ସରିବା ପରେ ସମସ୍ତ ମାର୍କ ବୋର୍ଡ ଅଫିସିଆଲ ସାଇଟରେ କେନ୍ଦ୍ର ପକ୍ଷରୁ ଅପଲୋଡ୍ କରାଯିବ। ଏଥି ପାଇଁ ୬ ଜଣ ଡାଟା ଏଣ୍ଟ୍ରି ଅପରେଟର ମଧ୍ୟ ନିଯୁକ୍ତ ହୋଇଛନ୍ତି। 

ସକାଳ ୧୦ ଟା ସମୟରୁ ଖାତା ଦେଖା ଆରମ୍ଭ ହେବା ବେଳେ ସନ୍ଧ୍ୟା ୫ଟାରେ ବନ୍ଦ କରାଯିବ। ଖାତା ମୂଲ୍ୟାୟନ ଶାନ୍ତି ଶୃଙ୍ଖଳା ସହ ହେବା ପାଇଁ ମୂଲ୍ୟାୟନ କେନ୍ଦ୍ରରେ ପୋଲିସ ମୁତୟନ କରାଯାଇଛି। ଏହା ସହ ଦୈନିକ ଖାତା ଷ୍ଟ୍ରଙ୍ଗରୁମରୁ ଆଣି ଦେଖା ଯିବା ପରେ ପୁଣି ସେହି ଷ୍ଟ୍ରଙ୍ଗରୁମରେ ରଖାଯିବ। ଏହି ସବୁରି ମଧ୍ୟରେ ଜଣେ ମୁଖ୍ୟ ପରୀକ୍ଷକ, ଡେପୁଟି, ସ୍କ୍ରୁଟିନାଇଜର ରହିଛନ୍ତି। ବୋର୍ଡ ତରଫରୁ କ୍ୟାମ୍ପ ଅଫିସର ଓ ଆସିଷ୍ଟାଣ୍ଟ କ୍ୟାମ୍ପ ଅଫିସର ଭାବେ ୩ ଜଣଙ୍କୁ ନିୟୋଜିତ କରାଯାଇଛି। ଏହି ପରୀକ୍ଷା ମୂଲ୍ୟାୟନ କେନ୍ଦ୍ର ଦାୟିତ୍ୱ ଦିଆଯାଉଛି। ଏହା ସହ ସହଯୋଗ ପାଇଁ ଅତିରିକ୍ତ ୨ ଜଣଙ୍କୁ ନିଯୁକ୍ତ କରାଯାଇଛି। ଏଥି ସହ ପ୍ରିୟବ୍ରତ ମାଝୀଙ୍କୁ କେନ୍ଦ୍ର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ସହ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଓ ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।