ମୁଖ୍ୟ ଖବର

ଏମ୍‌ସିଏଲ୍ ର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ: ବିସ୍ଥାପିତ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ

By Angul TV Bureau

February 15, 2024

ଅନୁଗୁଳ: ଆଜି ପୂର୍ବାହ୍ନରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍.ସି.ଏଲ୍) ର ୧୩ତମ ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍ ପି ଡି ଏ ସି ) ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଆର୍.ପି ଡି ଏ ସିର ଅଧ୍ୟକ୍ଷ ଶ୍ରୀକାନ୍ତ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତ ବେହେରା ଓ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକରେ ୧୬ଟି ବିଷୟରେ ଆଲୋଚନା ହୋଇଥିଲା। ଗତ ୩୧.୦୮.୨୦୨୧ ତାରିଖରେ ଅନୁଷ୍ଠିତ ଆରପିଡିଏସି ବୈଠକର ବିବରଣୀକୁ ଏହି ବୈଠକରେ ଅନୁମୋଦନ କରାଯାଇଥିଲା। ବୈଠକରେ ତାଳଚେରର ଗୋପାଳପ୍ରସାଦଖମାର, ପଥରମୁଣ୍ଡା (୩୩ଟି ପରିବାର), କଣିହାଁ, ଏକଡାଳ , ହିଲୋଇ (ନୂଆସାହି), ସୋଲଡା ଓ ବଲଣ୍ଡା ଗ୍ରାମର ବିସ୍ଥାପିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ସମାଧାନକୁ ନେଇ ଆଲୋଚନା ହୋଇଥିଲା। ସେହିପରି ଛେଣ୍ଡିପଦା ସୁଭଦ୍ରା ଏରିଆ କୋଇଲା ଖଣିର କଙ୍କରେଇ, ଛୋଟବେରେଣୀ, ପୀଢ଼ଖମଣ ଗ୍ରାମର ବିସ୍ଥାପିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ଏମ୍‌ସିଏଲ୍ ଦ୍ବାରା ବିସ୍ଥାପିତ ହୋଇଥିବା ସମସ୍ତ ବିସ୍ଥାପିତ ପରିବାରକୁ କ୍ଷତିପୂରଣ ବଣ୍ଟନ, ନିଯୁକ୍ତି ପ୍ରଦାନ, ଦେୟମୁକ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରଦାନ ଉପରେ ମଧ୍ୟ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେଇଥିଲା।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ପ୍ରୀତିମୟ, ଡିଏଫଓ (ଟେରିଟୋରିଆଲ) ବିବେକ କୁମାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକ୍ରମ କେଶରୀ ଭୋଇ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ, ବିସ୍ଥାପିତ ଗ୍ରାମବାସୀଙ୍କ ପ୍ରତିନିଧି ରାଜେନ୍ଦ୍ର ସିଂହ ଓ ଝୁଲୁ ପରିଡା, ସ୍ବେଚ୍ଛାସେବୀ ସଂଠନର ପ୍ରତିନିଧି ଚିତ୍ତରଂଜନ ପ୍ରଧାନ ଓ ବିଭୂତି ଭୂଷଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏମସିଏଲ ପକ୍ଷରୁ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ କାଉଲେ, ମହାପ୍ରବନ୍ଧକ (ଭୂ ରାଜସ୍ବ) ପ୍ରଦୀପ କୁମାର ମିଶ୍ର, ନିର୍ଦ୍ଦେଶକ କେଶବ ରାଓ ଓ ଯୁଗଳ କୁମାର ବୋରା, ସାଧାରଣ ପରିଚାଳକ ଅଶୋକ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ।