ଅନୁଗୁଳ: ମହାନଦୀ କୋଲଫିଲ୍ଡସ ଲିଃ(ଏମସିଏଲ) ନୂତନ ମାଇଲଖୁଣ୍ଟ ହାସଲ କରିବ ଏବଂ ୨୦୨୨ ମସିହାରେ ୧ ନମ୍ବର କୋଇଲା କମ୍ପାନୀ ଭାବେ ଉଭା ହେବ ବୋଲି ସିଏମଡିର ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିବାପରେ ଶନିବାର ଦିନ ଓ.ପି.ସିଂହ ପ୍ରକାଶ କରିଛନ୍ତି । ଶ୍ରୀ ସିଂହ କ୍ଷେତ୍ରୀୟ ମହାପ୍ରବନ୍ଧକମାନଙ୍କ ସହ ତାଙ୍କର ୧ମ ସମନ୍ୱୟ ବୈଠକରେ ଯୁଗ୍ମ ପରାମର୍ଶଦାତା କମିଟି(ଜେସିସି) ଏବଂ କଲ୍ୟାଣ ବୋର୍ଡ଼ର ସଦସ୍ୟମାନେ ନବ ବର୍ଷର ଶୁଭେଚ୍ଛା ଜଣାଇବା ଅବସରରେ ସେ କହିଥିଲେ ଯେ, ୨୦୨୧ ମସିହା ଚେଷ୍ଟିତ ସମୟରେ ଏମସିଏଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ଆଗାମୀ ବର୍ଷରେ ମଧ୍ୟ କୋଲ ଇଣ୍ଡିଆର ପତାକା ବାହକ ଭାବେ ଉଦ୍ୟମ ଜାରି ରଖିବ । ଶ୍ରୀ ସିଂହ କମ୍ପାନୀର ଶ୍ରମିକ,ଅଧିକାରୀ ଟ୍ରେଡ଼ ୟୁନିୟନର ପ୍ରତିନିଧିମାନଙ୍କ ମଧ୍ୟରେ ଥିବା ସମନ୍ୱୟକୁ ଭୂୟସୀ ପ୍ରଶଂସା କରିଥିଲେ । ଉତ୍ପାଦନ,ଡେସପାଚ୍ ଏବଂ ଓଭର ବର୍ଡ଼ନ୍ ଅପସାରଣରେ ଏମସିଏଲ ସମସ୍ତ ପାରାମିଟରରେ ଉତ୍କୃଷ୍ଠତା ଜାରି ରଖିବ ବୋଲି ଶ୍ରୀ ସିଂହ ପ୍ରକାଶ କରିବାସହ ଶ୍ରମିକଙ୍କ ସୁରକ୍ଷା ଏବଂ କର୍ମଚାରୀଙ୍କ କଲ୍ୟାଣମୂଳକ ପଦକ୍ଷେପକୁ ପ୍ରାଥମିକ ପଦକ୍ଷେପକୁ ପ୍ରାଥମିକ କ୍ଷେତ୍ର ଭାବେ ବିବେଚନା କରାଯିବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ସୂଚନା ଦେଇଥିଲେ ଯେ, କର୍ମଚାରୀ ଏବଂ ପୈାର ପ୍ରଶାସନର କଲ୍ୟାଣ ପାଇଁ ଏମସିଏଲ ମୁଖ୍ୟାଳୟରେ ସିଭିଲ-ୱେଲଫେୟାର ଭାବେ ଏକ ନୂତନ ବିଭାଗ ସ୍ଥାପନ କରାଯାଇଛି । ସିଏମଡି କାର୍ଯ୍ୟଭାର ନେବା ପୂର୍ବରୁ ଶ୍ରୀ ସିଂହଙ୍କୁ ଏମସିଏଲ ନିର୍ଦ୍ଦେଶକ (ପର୍ସନେଲ) କେଶବ ରାଓ ଏବଂ ସିଭିଓ ପି.କେ. ପଟେଲ ସାକ୍ଷାତ କରିଥିଲେ । ଏତଦ୍ ବ୍ୟତୀତ ଶ୍ରୀ ସିଂହ ସେରିମନିଆଲ ଗାର୍ଡ଼ ଅଫ୍ ଅନର ଯାଂଚ କରିବା ସହ ମୁଖ୍ୟାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ ।