ମୁଖ୍ୟ ଖବର

ଅନୁଗୁଳରେ ମାଂସ ବେପାର: ପଇସା ଦେଇ ରୋଗ କିଣୁଛନ୍ତି ଗ୍ରାହକ

By Biswaranjan Pattnaik

October 18, 2022

ଅନୁଗୁଳ: ଅନୁଗୁଳ ସହର ଭିତରେ ଏବେ ପ୍ରତି ଗଳି କନ୍ଦିରେ ମାଛ-ମାଂସ ଦୋକାନ। ନନ୍‌ଭେଜ ମାର୍କେଟରେ କେବଳ‌ ୫୦ ପାଖାପାଖି ଦୋକାନ ଥିବା ବେଳେ ୨୩ଟି ଯାକ ୱାର୍ଡରେ ପ୍ରାୟ ଶହେରୁ ଅଧିକ ଦୋକାନ ରହିଛି। ତେବେ ଛେଳି ଓ କୁକୁଡ଼ା ମାଂସ ବିକୁଥିବା ଦୋକାନୀ କିଭଳି ମାନର ମାଂସ ବିକୁଛନ୍ତି ତାହା ଦେଖିବାକୁ କେହି ନାହିଁ। ଆମିଷ ରଙ୍କୁଣା ମଣିଷ ପଇସା ଦେଇ ଯାହା ପାଇଲେ କିଣି ଘରକୁ ନେଲେ।

ପୌରପାଳିକା ଗୁପଚୁପ ଓ ଦହିବରା ଦୋକାନୀଙ୍କୁ ଛାଡୁ ନଥିବା ବେଳେ ବିନା ଟ୍ରେଡ଼ ଲାଇସେନ୍ସ ଓ ଫୁଡ ଲାଇସେନ୍ସରେ ମାଂସ ବିକୁଥିବା ଦୋକାନୀଙ୍କୁ କିଭଳି ଦରଦ ଦେଖାଉଛି ତାହା ଅନେକଙ୍କୁ ତାଜୁବ କରୁଛି। ଏ ସମ୍ପର୍କରେ ଅନୁଗୁଳ ଭିଏସ କେଶବ ଚନ୍ଦ୍ର ପ୍ରଧାନ କହିଛନ୍ତି ଯେ ମନଇଚ୍ଛା ମାଂସ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରୀ। ଛେଳି ଏବଂ ମେଣ୍ଢାଙ୍କ ଠାରୁ ମଣିଷକୁ କ୍ଳାମାଇଡ଼ିଓସିସ, ରିଙ୍ଗୱାର୍ମ, ଲିସଟେରିଓସିସ, କିଉ ଫିବର ଆଦି ହୋଇଥାଏ। ସେହିଭଳି କୁକୁଡ଼ା ଠାରୁ ଏଭିଆନ ଇଂଫ୍ଲୁଏଞ୍ଜା, ଡରମାଟୋ ଫଇଟୋସିସ, କୋଲିବାସି ଲେସିସ ଭଳି ରୋଗ ଡେଇଁବାର ସମ୍ଭାବନା ଥାଏ। ତେଣୁ ସବୁ ବେଳେ ସୁସ୍ଥ ଛେଳି ଓ କୁକୁଡ଼ା ମାଂସ ଖାଇବା ଉଚିତ।

ଖାଲି ସେତିକି ନୁହେଁ ମାଂସ ଦୋକାନୀ ବିନା ଲାଇସେନ୍ସରେ ବେପାର ତ କରୁଛନ୍ତି ଦୋକାନର ବର୍ଯ୍ୟ ଵସ୍ତୁ ସବୁକୁ ଏଣେ ତେଣେ ପକାଉଛନ୍ତି। ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଏଣୁ କଟକ ସିଏମସି ଭଳି ଅନୁଗୁଳ ମାଛ-ମାଂସ।ଦୋକାନୀ ମାନଙ୍କୁ ସୁସ୍ଥ ମାଂସ ବିକିବାକୁ ସଚେତନ କରାଯିବା ସହ ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।