ଅନ୍ୟାନ୍ୟ

ସର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ

By Angul TV Bureau

February 07, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ଫେବୃଆରୀ ୧୦ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ସମନ୍ବୟ କମଟି ବୈଠକ ସୋମବାର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଷୟରେ ଆଲେଶଚନା ହୋଇଥିଲା। ଜିଲ୍ଲାରେ ସମୁଦାୟ ୧୩ ଲକ୍ଷ ୩୬ ହଜାର ୧୨୯ ଜଣ ଏହି ବଟିକା ଖାଇବେ। କେବଳ ଗର୍ଭବତୀ ମହିଳା, ୨ ବର୍ଷରୁ କମ୍ ଶିଶୁ ଓ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତି ଏହି ବଟିକା ଖାଇବେ ନାହିଁ। ଅନୁଗୁଳ ଓ ତାଳଚେର ସହରାଞ୍ଚଳରେ ଔଷଧ ସେବନ କମ୍ ଥିବାରୁ ସମସ୍ତଙ୍କୁ ଔଷଧ ସେବନ କରାଇପାରିଲେ ଫାଇଲେରିଆ ନିରାକରଣ ସଫଳ ହୋଇପାରିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଜିଲ୍ଲାରେ ୧୯୩୦ଟି ଗାଁରେ ୧୭୫ଟି ସବ୍ ସେଣ୍ଟର, ୫ଟି ଏସୟୁରେ ଔଷଧ ବିତରଣ କରାଯିବ। ଏଥିପାଇଁ ୪୨୭୪ ଜଣ ଔଷଧ ବିତରକ ଓ ଏହାକୁ ତଦାରଖ କରିବା ନିମନ୍ତେ ୪୨୭ ଜଣ ସୁପରଭାଇଜର ନିୟୋଜିତ କରାଯାଇଛି। ଆଶା ଓ ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ବୁଲି ଏହି ବଟିକା ବାଣ୍ଟିବେ। ପାରାମେଡିକାଲ କର୍ମଚାରୀ ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନଙ୍କୁ ତାଲିମ ଦିଆଯାଇଛି। ଏହି ଔଷଧ ସେବନକୁ ସୁଦୁରପ୍ରସାରୀ କରିବା ନିମନ୍ତେ ସମସ୍ତ କାର୍ଯ୍ୟାଳୟରେ ଔଷଧ ଖାଇ ଉଦଘାଟନ କରାଯିବାକୁ ସ୍ଥିର କରାଗଲା। ବୈଠକରେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା ପୂର୍ଣ୍ଣିମା ଉଦଗାତା(ଭିବିଡି) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟ କର୍ମୀ, ପାରାମେଡିକାଲ ଷ୍ଟାଫ, ତାଲିମ ପ୍ରାପ୍ତ ସ୍ବେଛାସେବୀ, ଆଶା ଓ ଅଙ୍ଗନୱାଡି କର୍ମୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଶିଳ୍ପ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।