ମୁଖ୍ୟ ଖବର

ଭିଡ଼ ନିୟନ୍ତ୍ରଣ ଓ ବ୍ୟବସ୍ଥିତ ଟ୍ରାଫିକ ପାଇଁ ବସିଲା ବୈଠକ, ୪ ଦିନର ମହଲତ ମାଗିଲେ ମଲ୍ କର୍ତ୍ତୃପକ୍ଷ

By Biswaranjan Pattnaik

September 15, 2025

ଅନୁଗୁଳ: ବେଆଇନ ପାର୍କିଂ ଓ ଜବରଦଖଲ ପାଇଁ ଅନୁଗୁଳରେ ଉତ୍କଟ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏଣୁ ପାର୍ବଣରେ ଏହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ଅନୁଗୁଳ ପ୍ରଶାସନ। ମୁଖ୍ୟତଃ ବଡ଼ ବଡ଼ ମଲ ଗୁଡିକରେ ସଠିକ ଢଙ୍ଗରେ ପାର୍କିଂ ବ୍ୟବସ୍ଥା ନଥିବାରୁ ସମସ୍ୟା ଅଣାୟତ୍ତ ହେଉଛି। ଏନେଇ ଆଜି ଅପରାହ୍ନରେ ଅନୁଗୁଳ ପୌରପରିଷଦ ସଭାକକ୍ଷରେ ସମସ୍ତ ମଲ ମାଲିକ ଏବଂ ପୌର ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ପୂର୍ବ ଯୋଜନା ମୁତାବକ ସହରର ବଡ଼ ବଡ଼ ମଲ ଗୁଡିକ ମଧ୍ୟରୁ ୩୧ ଜଣଙ୍କୁ ନୋଟିସ କରିଥିଲା ପୌରପାଳିକା। କିନ୍ତୁ ଆଜିର ବୈଠକରେ ସେମାନଙ୍କ ମଧ୍ୟରୁ ମାତ୍ର ୧୮ ଟି ମଲ ମାଲିକ ଉପସ୍ଥିତ ଥିଲେ। ବୈଠକରେ ପାର୍କିଂ ନୀତିନିୟମ କଡାକଡ଼ି ପାଳନ ହେବ, ଅନୁମୋଦନ ହୋଇଥିବା ପାର୍କିଙ୍ଗ ପ୍ଲାନ ଅନୁଯାୟୀ ଗାଡି ଗୁଡିକ ପାର୍କିଂ କରିବାକୁ ନିଷ୍ପତ୍ତି ହୋଇଛି। ପୌରପାଳିକାର ଏନ୍ଫୋର୍ସମେଣ୍ଟ ଟିମ କାର୍ଯ୍ୟ ତଦାରଖ କରିବେ। ୫୫ ନଂ ଜାତୀୟ ରାଜପଥ କଡ଼ରେ ଥିବା ମଲ ଗୁଡିକ ଅତ୍ୟଧିକ ଯତ୍ନବାନ ହେବେ ବୋଲି ନିର୍ଦ୍ଦେଶ ରହିଛି।

ତେବେ ସୋମବାର ସକାଳୁ ପୌରପାଳିକାର ଏକ ଟିମ ମଲ ଗୁଡିକ ବୁଲି ପାର୍କିଂ ବ୍ୟବସ୍ଥା ସମୀକ୍ଷା କରିଥିବା ଜଣାପଡିଛି। ବୈଠକରେ ଉପସ୍ଥିତ ମଲ ମାଲିକ ୪ଦିନର ମହଲତ ମାଗିଥିବା ବେଳେ ନିଜର ପାର୍କିଂ ବ୍ୟବସ୍ଥା ସଜାଡ଼ିବାକୁ କହିଛନ୍ତି। ଯେଉଁ ସବୁ ମଲ ଗୁଡିକ ଅନୁପସ୍ଥିତ ରହିଥିଲେ ସେମାନଙ୍କୁ ପୁଣି ଥରେ ପୌରପାଳିକା ନୋଟିସ କରିବ ବୋଲି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି। ନିୟମ ଅନୁପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି।