ମୁଖ୍ୟ ଖବର

ସୁଭଦ୍ରା କୋଇଲା ଖଣି ନେଇ ତ୍ରିପାକ୍ଷିକ ବୈଠକ

By Sanjeeb Biswal

September 15, 2022

ଅନୁଗୁଳ: ଛେଣ୍ଡିପଦା ଅନ୍ତର୍ଗତ କଙ୍କରେଇ ଗ୍ରାମପଞ୍ଚାୟତରେ ଏମ୍‌ସିଏଲ୍ ସୁଭଦ୍ରା ଏରିଆ ଦ୍ଵାରା ଅଧିଗ୍ରହଣ ହେବାକୁ ଥିବା ଜମି ଅଧିଗ୍ରହଣ ନେଇ ବୁଧବାର ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି।

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିସ୍ଥାପନ, ନିଯୁକ୍ତି ଓ କ୍ଷତିପୂରଣ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଗ୍ରାମର ବିସ୍ଥାପିତ ପରିବାରର ୧୮ରୁ ୪୦ ବର୍ଷ ମଧ୍ୟରେ ଥିବା ସମସ୍ତଙ୍କୁ ଚାକିରି ପ୍ରତିଶ୍ରୁତି, ବାସଗୃହ ପାଇଁ ୧୯ ଲକ୍ଷ ୩୮ ହଜାର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଜମି କିଣିବା ଓ ଗୃହ ନିର୍ମାଣ ପାଇଁ ଅଗ୍ରୀମ ୧୪ ଲକ୍ଷ ଟଙ୍କା ଦେବାକୁ କୁହାଯାଇଛି। ସେହିପରି ରହୁଥିବା ଘର ଛାଡିବା ପରେ ବାକି ୫ ଲକ୍ଷ ୩୮ ହଜାର ଦେବାକୁ ନିଷ୍ପତ୍ତି ହୋଇଛି। ପୁରୁଣା ପଟାରେ କଙ୍କରେଇ, ପିଢ଼ଖମଣ, ଛୋଟବେରେଣୀ ଗ୍ରାମବାସୀଙ୍କୁ ୨୦୧୩ ପଟା ଅନୁଯାୟୀ କ୍ଷତିପୂରଣ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଘର ମୂଲ୍ୟ ଦେବାସହିତ ଜମିରେ ଥିବା ଗଛର ମୂଲ୍ୟ ଏକାସାଙ୍ଗରେ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି।

ବୈଠକରେ ଉପଜିଲ୍ଲାପାଳ ବୈତୁରା ଦୀପ, ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ, ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ସରପଞ୍ଚ ପ୍ରତାପ କୁମାର ସାହୁ, ଏମସିଏଲ ପ୍ଲାନିଂ ଡ଼ାଇରେକ୍ଟର ଜେ. କେ. ବୋରା, ଡାଇରେକ୍ଟର ଫାଇନାନ୍ସ ଅଜିତ କୁମାର ବେହେରା, ମହାପ୍ରବନ୍ଧକ ଅନୁପମ ଶ୍ରୀବାସ୍ତବ, ସମିତିସଭ୍ୟ ସିଲି ସାହୁ, କଙ୍କରେଇ ଗ୍ରାମସଭାପତି ସତ୍ୟବାଦୀ ପ୍ରଧାନଙ୍କ ସମେତ କଙ୍କରେଇ, ପିଢ଼ଖମଣ ଓ ଛୋଟବେରେଣୀ ଗ୍ରାମବାସୀ ଉପସ୍ଥିତ ଥିଲେ।