ମୁଖ୍ୟ ଖବର

୩୦ ଯାଏଁ ନିସ୍ତାର ନାହିଁ, ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ପାରଦ

By Angul TV Bureau

April 27, 2022

ଭୁବନେଶ୍ୱର/ଅନୁଗୁଳ: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ, ଖାସ୍ କରି ପଶ୍ଚିମ ଓଡ଼ିଶାରେ ଚାଲିଛି ନିଆଁ ବର୍ଷା। ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର ଓ ଟିଟିଲାଗଡ଼ ଆଦି ସାହରେ ରହିଛି ସର୍ବୋଚ୍ଚ ତାପମାତ୍ରା। ୪୪.୫ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ଏବେ ତାପମାତ୍ରାର ସବୁ ରେକର୍ଡ କଟିଛି। ଅନ୍ୟପଟେ ଝାରସୁଗୁଡା ଓ ବଲାଙ୍ଗିରରେ ତାପମାତ୍ରା ଯଥାକ୍ରମେ ୪୩.୯ ଓ ୪୩.୮ ଡିଗ୍ରୀ ରହିଛି। ରାଜ୍ୟର ୨୨ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ। ସେହିପରି ୧୪ ଟି ସ୍ଥାନରେ ୪୨ ଓ ୯ ସ୍ଥାନରେ ୪୩ ଡିଗ୍ରୀ ଉପରେ ରହିଛି ତାପମାତ୍ରା।

ଆଗକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଉପକୂଳ ଓଡ଼ିଶାରେ ବି ସାମାନ୍ୟ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି। ୩୦ ଯାଏ ବିଭିନ୍ନ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି ହୋଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ତେବେ ଆଜି ପାଇଁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ ଓ ବଲାଙ୍ଗିର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ କରାଯାଇଛି। ଆଗକୁ ଉପକୂଳ ଓଡ଼ିଶାରୁ ଦକ୍ଷିଣା ପବନ ବୋହିବା ଯୋଗୁ ଉପକୂଳରେ ତାପମାତ୍ରା ଧୀରେ ଧୀରେ କମିବ ଓ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।