ଅନୁଗୁଳ: ଅନୁଗୁଳରେ ଜିଲ୍ଲାସ୍ତରୀୟ ଅମଲା ମଞ୍ଚର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ୮ ଟି ବ୍ଲକର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲାମାନେ ଯୋଗ ଦେଇ ସେମାନଙ୍କର ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ ମୌଳିକ କମ୍ପ୍ୟୁଟରକୁ ଭିତ୍ତି କରି ଜିଲ୍ଲାସ୍ତରୀୟ ଅମଲାଙ୍କର ମୂଳ ବେତନରେ ଥିବା ଅସଙ୍ଗତିକୁ ଦୂର କରାଯାଇ ଏହାକୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ଲେଭେଲ-୯ ରେ ଦରମା ପ୍ରଦାନ କରିବା ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଏ ନେଇ ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା। ଏହି ଦାବିକୁ ପୂରଣ ନେଇ ମେ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତୀକାତ୍ମକ ଭାବେ ସମସ୍ତ ଅମଲା କଳାବ୍ୟାଜ ପରିଧାନ କରି କାମ କରିଥିଲେ।
ଏହା ସତ୍ତ୍ୱେ ଯଦି ସରକାର ଉଦାସୀନତା ମନୋଭାବ ପୋଷଣ କରନ୍ତି ତାହେଲେ ରାଜ୍ୟର ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୂହ ଛୁଟିରେ ଯିବେ ବୋଲି ସରକାରଙ୍କୁ ଅବଗତ କରିଯାଇଥିଲା। ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ସହ ଦୁଇ ଦୁଇ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ କୌଣସି ପ୍ରକାର ନିଷ୍କର୍ଷ ବାହାରି ପାରି ନାହିଁ। ଏଣୁ ସମସ୍ତେ ସର୍ବସମ୍ମତ କ୍ରମେ ଦୁଃଖ ପ୍ରକାଶ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅମଲା ମଞ୍ଚର ଲଳିତ ମୋହନ ବେହେରା, ପ୍ୟାରୀମୋହନ ପ୍ରଧାନ, ନଗେନ କୁମାର ଶତପଥୀ, ଶାନ୍ତନୁ ସାହୁ, ସୁବୋଧ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।