ଅନୁଗୁଳ: ନୂତନ ଠିକା ସଂସ୍ଥାରେ ପୁରୁଣା କର୍ମଚାରୀ ଓ ସ୍ଥାନୀୟ ବେରୋଜଗାର ଯୁବକଙ୍କୁ ଦକ୍ଷତା ଭିତ୍ତିକ ନିଯୁକ୍ତି ଦେବା ଦାବିରେ କଣିହାଁ ଭାଜପା ମଣ୍ଡଳ ପକ୍ଷରୁ ଖୋଲା ମୁହଁ କୋଇଲା ପ୍ରକଳ୍ପ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମଣ୍ଡଳ ସଭାପତି ସୁଶାନ୍ତ ସାମଲଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର କାର୍ଯ୍ୟକର୍ତ୍ତା ପୂର୍ବାହ୍ନରେ ମହାପ୍ରବନ୍ଧକ ନରେଶ ସିଂ ରାଣାଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ଦେଇଥିଲେ।
ପ୍ରତିନିଧି ଦଳ ଦାବି କରିଛନ୍ତି ଯେ, କଣିହାଁ କୋଇଲା ଖଣିରେ ଖନନ, ଉତ୍ତୋଳନ ଓ ପରିବହନ ପାଇଁ ଆସୁଥିବା ନୂତନ ଠିକା ସଂସ୍ଥାରେ ଜମିହରା ପୁରୁଣା କର୍ମଚାରୀ ଏବଂ ସ୍ଥାନୀୟ ପଞ୍ଚାୟତର ଦକ୍ଷ ବେରୋଜଗାର ଯୁବକଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦିଆଯାଉ। ନିଯୁକ୍ତି ଥଇଥାନ ନ କଲେ ଆଗାମୀ ଦିନରେ ଖଣି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଠପ କରିବାକୁ ବାଧ୍ୟ ହେବୁ ବୋଲି ନେତୃମଣ୍ଡଳୀ ମହାପ୍ରବନ୍ଧକଙ୍କୁ ଚେତାବନୀ ଦେଇଛନ୍ତି।
ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ପରିଷଦ ସଭ୍ୟ ସଚ୍ଚିଦାନନ୍ଦ ପ୍ରଧାନ, ଜିଲ୍ଲା ପ୍ରତିନିଧି ଲୋକନାଥ ସାହୁ, ପ୍ରାକ୍ତନ ମଣ୍ଡଳ ସଭାପତି ତଥା ସମିତି ସଭ୍ୟ ଦେବେନ୍ଦ୍ର ବାରିକ, ସାଧାରଣ ସମ୍ପାଦକ ଦିଲେଶ୍ୱର ବେହେରା, ଯୁବ ନେତା ହରମୋହନ ସାହୁ, ବିଏମଏସ ସଭାପତି ଅଭୟ ସାହୁ, ସମ୍ପାଦକ ଚିନ୍ମୟ ପ୍ରଧାନ, ଶ୍ରମିକ ନେତା ରମେଶ ସାମଲଙ୍କ ସମେତ ଶତାଧିକ ଯୁବକ ଓ ଠିକା କର୍ମଚାରୀ ସାମିଲ ଥିଲେ।