ଅନୁଗୁଳ: ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ଆଜି ଅନୁଗୁଳ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ଥାନୀୟ ଜିଲ୍ଲା ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ପାନୀୟ ଜଳ ସମସ୍ୟାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ନଳକୂପ ମରାମତି ଓ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କୌଣସି ଅଯୋଗ୍ୟ ହିତାଧିକାରୀ ଯେପରି ସୁବିଧା ନପାନ୍ତି, ସେଥିପାଇଁ ଆବେଦନକାରୀଙ୍କ ଯୋଗ୍ୟତା ସଠିକ ଭାବେ ଯାଞ୍ଚ କରିବାକୁ ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ‘ବିକଶିତ ଗାଁ ଓ ବିକଶିତ ଓଡ଼ିଶା’ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ସହ ଭିବି ଜିରାମ ଜି ଯୋଜନାର ସଫଳ ରୂପାୟନ ଉପରେ ସେ ଜୋର ଦେଇଥିଲେ।ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନଙ୍କ ସମେତ ଛେଣ୍ଡିପଦା ଓ ପାଳଲହଡ଼ା ବିଧାୟକଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ ଓ ସମସ୍ତ ବ୍ଲକର BDO ମାନେ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।