ମୁଖ୍ୟ ଖବର

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

By Angul TV Bureau

February 28, 2026

ଅନୁଗୁଳ: ୨୦୨୫ ଫେବ୍ରୁଆରି ମାସର ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିରଞ୍ଚି ନାରାୟଣ ମିଶ୍ର ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଖୋର୍ଦ୍ଧା ତୋଟାପଡା ଗ୍ରାମର ସୁଶାନ୍ତ ନାୟକ (୩୬)ଙ୍କୁ କୋର୍ଟ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ପୁଲିସ ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ସୁଶାନ୍ତ ନାବାଳିକାଙ୍କୁ ଅପହରଣ କରି ଖୋର୍ଦ୍ଧା ନେଇଯାଇଥିଲେ, ଯେଉଁଠାରୁ ପୁଲିସ ତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡ଼ିବା ପରେ ପୁଲିସ ବିଭିନ୍ନ ସଙ୍ଗିନ ଦଫା ସହ ପୋକସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା।

ଏହି କେଶ୍‌ର ବିଚାର କରି ଜଜ୍ ୯ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ସୁଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ୍ ଓ ୫୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଫାଷ୍ଟ ଟ୍ରକ କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ରଞ୍ଜନ ପାତ୍ର ଏହି ମାମଲାକୁ ପରିଚାଳନା କରୁଥିଲେ।