ମୁଖ୍ୟ ଖବର

ପ୍ରେମିକ ପରେ ପ୍ରେମିକାଙ୍କ ଆତ୍ମହତ୍ୟା; ସଖୀ ସେଣ୍ଟରରେ ଜୀବନ ହାରିଲେ ନାବାଳିକା

By Angul TV Bureau

April 25, 2026

​ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖୀ ସେଣ୍ଟରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଜଣେ ନାବାଳିକା ଶୌଚାଳୟ ଭିତରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ନାବାଳିକା ଜଣକ ଅନୁଗୁଳ ସଦର ଥାନା ସମାକୋଇ ଗାଁର ବୋଲି ସୂଚନା ମିଳିଛି।

​ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ଜଣକ ଢେଙ୍କାନାଳ ଜିଲ୍ଲା ନିମିଧା ଗାଁର ବେଣୁପାଣି ସାହୁଙ୍କ ସହ କିଛି ଦିନ ପୂର୍ବେ ମୁମ୍ବାଇ ପଳାଇଥିଲେ। ଝିଅ ପକ୍ଷରୁ ଏତଲା ପରେ ପୋଲିସ ବେଣୁପାଣିଙ୍କ ପରିବାର ଲୋକଙ୍କୁ ଅଟକ ରଖିଥିଲା। ଏଥିରେ ମର୍ମାହତ ହୋଇ ଗତକାଲି ବେଣୁପାଣି ପ୍ରଥମେ ଆତ୍ମହତ୍ୟା କରିଥିଲେ। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ସଖୀ ସେଣ୍ଟରରେ ରଖିଥିବା ବେଳେ, ଆଜି ସକାଳେ ସେ ଶୌଚାଳୟ ଯିବା ବାହାନାରେ ବାଥରୁମକୁ ଯାଇ ତା ଭିତରେ ନିଜ ଜୀବନ ହାରିଛନ୍ତି।

​ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସଖୀ ସେଣ୍ଟର ଭଳି ଏକ ସୁରକ୍ଷିତ ସ୍ଥାନରେ କିଭଳି ନାବାଳିକା ଜଣକ ଆତ୍ମହତ୍ୟା କଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।