ଅନୁଗୁଳ: ଏନ୍.ଟି.ପି.ସି ବିଜିଗୋଳ ଅଞ୍ଚଳରେ ଘଟିଥିବା ଏକ ଅତି ଅମାନୁଷିକ ଘଟଣାର ପର୍ଦ୍ଦାଫାସ କରିବାରେ ପୋଲିସ ସଫଳ ହୋଇଛି। ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ମାମଲାରେ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ କାବୁ କରିନେଇଛି।ସୂଚନା ଅନୁଯାୟୀ, ଗତକାଲି ଉକ୍ତ ନାବାଳିକା ଜଣକ ନିଜ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ଏଥିନେଇ ପରିବାର ଲୋକେ ଚିନ୍ତିତ ହୋଇ ଥାନାର ଦ୍ୱାରସ୍ଥ ହେବା ପରେ ତାଳଚେର ଏସ.ଡି.ପି.ଓ ଏବଂ ଏନ୍.ଟି.ପି.ସି ପୋଲିସ ପକ୍ଷରୁ ବ୍ୟାପକ ଖୋଜାଖୋଜି କରାଯାଇଥିଲା, ମାତ୍ର ପ୍ରାଥମିକ ଭାବେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।
ଆଜି ଅର୍ଥାତ୍ ଫେବ୍ରୁଆରି ୨୭ ତାରିଖ ଦିନ ନାବାଳିକାଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଜଘନ୍ୟ ଅପରାଧର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅନୁଗୁଳ ଏସ.ପି ରାହୁଲ ଜୈନ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ସେହି ଗ୍ରାମର ଆଶିଷ ନାଏକ ନାମକ ଜଣେ ଯୁବକକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିବା ପରେ ସେ ନିଜର ସମସ୍ତ ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ଏହି ନାରକୀୟ କାଣ୍ଡର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଖୁବ୍ ଶୀଘ୍ର ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପାଇଁ ଡି.ଏସ.ପି ଯୋଗେଶ୍ୱରୀ ବେହେରାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଞ୍ଚଳବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ ହେଁ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଦାବି ହେଉଛି।