ଘଟଣା ଓ ଦୁର୍ଘଟଣା

ପ୍ରେମ ବିବାହ କରିବାକୁ ଯାଇ ହଟହଟା, ଚାଇଲ୍ଡ କେୟାର ସେଣ୍ଟର ଗଲା ନାବାଳିକା

By Angul TV Bureau

May 03, 2025

କଣିହାଁ: ପାଠପଢ଼ା ବୟସରେ ପ୍ରେମ କରି ନାବାଳିକା ହଟହଟା। ଅଳ୍ପ ବୟସରେ ପ୍ରେମ କରି ବିବାହ କରିବାକୁ ଯାଇଥିଲେ। କିନ୍ତୁ ଶାଶୁ ଘର ଯିବା ବଦଳରେ ନାବାଳିକା ଗଲା ଚାଇଲ୍ଡ କେୟାର ସେଣ୍ଟର। ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ଗଣ୍ଡମାଳା ଗ୍ରାମପଞ୍ଚାୟତ କୁଲାବୀର ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା।କୁଲାବୀର ଗାଁର ନାବାଳିକା ସହିତ ସେହି ଗାଁର ଜଣେ ନାବାଳକର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ମାର୍ଚ୍ଚ ୧୫ ରେ ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ ନାବଳକ ପ୍ରେମିକ ନିଜ ଘରକୁ ନାବାଳିକା ପ୍ରେମିକାକୁ ନେଇ ଆସିଥିଲା। ଉଭୟ ବିବାହ କରି ନଥିବାରୁ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଗ୍ରାମବାସୀ ଉଭୟଙ୍କ ବାପାମାଆଙ୍କୁ ଡକାଇ ଥିଲେ। ପୁଅ ଝିଅଙ୍କ ବିବାହ ବୟସ ହୋଇ ନଥିବାରୁ ବୁଝାସୁଝା କରି ନିଜ ନିଜର ଘରକୁ ପଠାଇ ଦିଆଯାଇଥିଲା। ପ୍ରାପ୍ତ ବୟସ୍କ ହେବା ପର୍ଯ୍ୟନ୍ତ ସେମାନେ ନିଜ ନିଜ ଘରେ ରହିବା ପାଇଁ ନିଷ୍ପତ୍ତି ହୋଇଥିଲା। ଆଉ ସେହି ଅନୁସାରେ ଅଙ୍ଗନବାଡ଼ି କର୍ମୀ ଏକ ଚୁକ୍ତିନାମା ଲେଖି ଦସ୍ତଖତ ମଧ୍ୟ କରାଇଥିଲେ।ତେବେ ଏହି ଦୁଇ ଜଣ ବିବାହ କରିଥିବା ଖବର ଅନୁଗୁଳ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ। ଜିଲ୍ଲାପାଳ ଚାଇଲ୍ଡ ହେଲ୍ପଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇ ଥିଲେ। ପରେ ଚାଇଲ୍ଡ ହେଲ୍ପଲାଇନ ରେଙ୍ଗାଳି ଥାନା ପୋଲିସ୍ ସହ ଉଭୟ ପରିବାରଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ପୁଅ ଓ ଝିଅ ନିଜ ନିଜର ଘରେ ରହୁଥିବାର ଦେଖିବାକୁ ପାଇଥିଲେ। ସେମାନଙ୍କର ବିବାହ ହୋଇ ନଥିବା ପରିବାର ଲୋକେ କହିଥିଲେ। ଏହା ସତ୍ତ୍ବେ ଗ୍ରାମବାସୀ ଏବଂ ପରିବାର ଲୋକ କଥା ଲୁଚାଉଛନ୍ତି ବୋଲି ଅଭିଯୋଗ କରି ନାବାଳିକାକୁ ଅନୁଗୁଳ ସ୍ଥିତ ଚାଇଲ୍ଡ କେୟାର ସେଣ୍ଟରକୁ ନିଆଯାଇଥିବା ସୂଚନା ମିଳିଛି।