ଅନୁଗୋଳ: ଶିକ୍ଷା ଅଧିକାରରୁ ବଞ୍ଚିତ ହେବା ପରେ ନିଜ ଭବିଷ୍ୟତ ପାଇଁ ରାସ୍ତାକୁ ଓହ୍ଲାଇଲେ ଦୁଇ ନାବାଳିକା ଭଉଣୀ। ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ହେସମୂଳ ଗ୍ରାମର ଜଣେ କ୍ଷତିଗ୍ରସ୍ତ ପ୍ରଜାଙ୍କ ଦୁଇ ଜାଆଁଳା ଝିଅ, ଯେଉଁମାନେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି, ସ୍ଥାନୀୟ ଡିଏଭି ସ୍କୁଲରେ ଆଡମିସନ ନ ପାଇବାରୁ ସିଧାସଳଖ ଭୁବନେଶ୍ୱରୀ କୋଇଲା ଖଣିରେ ଆନ୍ଦୋଳନ ଆରମ୍ଭ କରିଥିଲେ।
ବାପା ଅନେକ ଦିନ ଧରି ସ୍କୁଲ ପ୍ରଶାସନ ନିକଟରେ ଗୁହାରି କରି ନିରାଶ ହେବା ପରେ, ଝିଅମାନେ ନିଜେ ଆନ୍ଦୋଳନ ପନ୍ଥା ଗ୍ରହଣ କରିଥିଲେ। ସେମାନଙ୍କ ଅବରୋଧ ଯୋଗୁଁ ଖଣି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ତାଳଚେର ଥାନା ପୋଲିସ ପହଞ୍ଚି ନାବାଳିକା ଦୁହିଁଙ୍କୁ ବୁଝାସୁଝା କରି ଥାନାକୁ ନେଇଥିଲା ଏବଂ ପରେ ପରିବାରକୁ ହସ୍ତାନ୍ତର କରିଥିଲା। ସରକାରୀ ସ୍ତରରେ ‘ବେଟି ପଢ଼ାଓ, ବେଟି ବଞ୍ଚାଓ’ ନାରା ଦିଆଯାଉଥିବା ବେଳେ, ପ୍ରକୃତ କ୍ଷେତ୍ରରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ସନ୍ତାନମାନେ ଶିକ୍ଷା ପାଇଁ ଏପରି ସଂଘର୍ଷ କରିବା ସଭ୍ୟ ସମାଜ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ନ୍ୟାୟ ପାଇଁ ଏହି ଛୋଟ ଝିଅଙ୍କ ସାହସିକ ପଦକ୍ଷେପ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି।