ମୁଖ୍ୟ ଖବର

ନାବାଳିକା ଛାତ୍ରୀକୁ ଅସଦାଚରଣ ହରଡଘଣାରେ ଇଂରାଜୀ ମିଡିୟମ ସ୍କୁଲ: ଘଟଣାକୁ ଚାପି ଦେବାକୁ ଉଦ୍ୟମ

By Biswaranjan Pattnaik

August 15, 2025

ଅନୁଗୁଳ: ଗତ ୧୪ ତାରିଖ ସକାଳେ ଅନୁଗୁଳ ସହରଭିତରେ ଥିବା ଏକ ପ୍ରତିଷ୍ଠିତ ଇଂରାଜୀ ମିଡିୟମ ସ୍କୁଲରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ୮ ବର୍ଷର ଛାତ୍ରୀକୁ ଜଣେ ୧୫ ବର୍ଷର ଛାତ୍ର ସ୍କୁଲ ଭିତରେ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହେଇଛି। ଛାତ୍ରୀଟି ସ୍କୁଲ ଭିତରେ ଶ୍ରେଣୀ କକ୍ଷକୁ ଯାଉଥିବା ବେଳେ ଛାତ୍ରଟି ତାକୁ ମ୍ୟୁଜିକ ରୁମ୍ ଆଡ଼କୁ ନେଇ ଅସଦାଚରଣ କରିଥିଲା।ଛାତ୍ରୀ ଜଣକ ଛାଟିପିଟି ହେଇ ସେଠାରୁ ପଳାଇ ଆସି କ୍ଲାସ ଟିଚରଙ୍କୁ ସବୁ କଥା କହିଥିଲା। ସେ ଝିଅଟିକୁ ପ୍ରିଂଶିପାଲଙ୍କ ପାଖକୁ ନେଇ ଯାଇଥିଲେ। ସେଠାରେ କ୍ଲାସ ଟିଚର ଏବଂ ପ୍ରିଂଶିପାଲ ଛାତ୍ରୀଟିକୁ ଏକଥା କାହାରିକୁ ନକହିବା ପାଇଁ ଧମକାଇ ଥିଲେ। ତେବେ ଛାତ୍ରୀ ଜଣକ ଘରେ ପହଞ୍ଚି ସବୁକଥା କହିବା ପରେ ବାପା ସ୍କୁଲକୁ ଘଟଣା ସମ୍ପର୍କରେ ବୁଝିବା ପାଇଁ ଆସିଥିଲେ।

ସେଠାରେ ପ୍ରିଂଶିପାଲ ଝିଅର ବାପାକୁ ଘଟଣାର ଆପୋଷ ସମାଧାନ କରିବାକୁ ଚାପ ପକାଇଥିଲେ। ସ୍କୁଲ ମ୍ୟାନେଜମେଣ୍ଟ ବହୁ ପ୍ରଭାବଶାଳୀ ଆମର କେହି କିଛି କରିପାରିବେ ନାହିଁ ବୋଲି ପ୍ରିଂଶିପାଲ ଧମକାଇଥିବା ଛାତ୍ରୀର ବାପା ଅଭିଯୋଗ କରିଛନ୍ତି।

ପୋଲିସ ଅଭିଯୋଗ ପାଇ ଅଭିଯୁକ୍ତ ଛାତ୍ର ଏବଂ ପ୍ରିଂଶିପାଲଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଭାରତୀୟ ନ୍ୟାୟ ସଂହିତାର ଦଫା ୬୫(୨),୧୨୭(୨),୩୫୧(୨),୩(୫) ଆଦି ଦଫାରେ ମାମଲା ରୁଜୁ କରିଛି। ପୂର୍ବରୁ ବହୁ ସମୟରେ ବିବାଦ ଘେରରେ ରହିଥିବା ଏହି ଇଂରାଜୀ ମିଡିୟମ ସ୍କୁଲର ଶିକ୍ଷକ, ପ୍ରିଂଶିପାଲଙ୍କ ଏଭଳି କାରନାମା ଏବେ ସ୍କୁଲ ପରିବେଶକୁ ନଷ୍ଟ କରିବ ବୋଲି ଅଭିଭାବକ ମହଲରେ ଚିନ୍ତା ପ୍ରକଟ କରାଯାଇଛି।