ମୁଖ୍ୟ ଖବର

କଲେଜ ଛାତ୍ରୀ ନାଳରେ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ କଣ୍ଟା ବୁଦା ମୂଳରୁ ମୃତଦେହ ଉଦ୍ଧାର

By Angul TV Bureau

August 07, 2024

ଅନୁଗୁଳ: ବସଲା ସୁନାଭୂଇଁ ସ୍ଥିତ ଘୋଡାଡିଆଁ ନାଳରେ ମଙ୍ଗଳବାର ଭାସି ନିଖୋଜ ହୋଇଯାଇଥିବା ଛାତ୍ରୀଙ୍କ ମୃତଦେହ ଆଜି ଅପରାହ୍ନରେ ଉଦ୍ଧାର ହୋଇଛି। ନାଳର ଏକ କଣ୍ଟା ବୁଦା ମୂଳରେ ମୃତ ଦେହ ଲାଖି ରହିଥିଲା। ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଜଣାଯାଇଛି।

ସୂଚନା ଯେ, ଗତକାଲି ସୁନାଭୂଇଁ ଗାଁର ପ୍ରୀତି ବେହେରା(୧୯) କଲେଜରୁ ସାଇକେଲ ଯୋଗେ ଗାଁକୁ ଫେରୁଥିଲେ। ବାଟରେ ଘୁଡ଼ାବୁଡ଼ା ନାଳ ଉପରେ ଚାରି ଫୁଟରେ ପାଣି ଯାଉଥିଲା। ନାଳ ଉପରେ ସେ ସାଇକେଲ ଗଡ଼େଇ ଗଡ଼େଇ ଯାଉଥିବା ବେଳେ ପାଣି ଆସିବାରୁ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ପାଣିରେ ଭାସି ଯାଇଥିଲେ।

ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କାର୍ଯ୍ୟ ଚାଲିଥିଲା। ହେଲେ ପ୍ରୀତିଙ୍କର କୌଣସି ପତ୍ତା ମିଳିନଥିଲା। ବୁଧବାର ସକାଳୁ ଅଗ୍ନିଶମ ଓ ଓଡ୍ରାଫ ଦଳ ତନତନ କରି ଖୋଜିବା ଆରମ୍ଭ କରିଥିଲା। ଭାସିଯାଇଥିବା ସ୍ଥାନ ଠାରୁ ଇଙ୍କରବନ୍ଧ ପୋଲ ପର୍ଯ୍ୟନ୍ତ ୨ଟି ଦଳ ହୋଇ ବୋଟ ମାଧ୍ୟମରେ ପଇଁତରା ମାରିଥିଲା ଓଡ୍ରାଫ ଦଳ। ପରେ ସ୍ଥାନୀୟ ଯୁବକଙ୍କ ଉଦ୍ୟମରେ ପ୍ରୀତିଙ୍କ ମୃତ ଦେହ ନାଳର ଏକ କଣ୍ଟା ବୁଦା ମଧ୍ୟରୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ଓ ଓଡ୍ରାଫ ଦଳକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ପଦାକୁ ଆଣିଥିଲେ। ଘଟଣାସ୍ଥଳରେ ବନ୍ତଳା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଯୁବନେତା ତଥା ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।