ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣାରେ ନୂଆ ମୋଡ଼। ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ କେନ୍ଦୁପଲି ଗାଁ ନିକଟ ବିଲମାଳରୁ ରବିବାର ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ଵିକ ସ୍ଥିତିରୁ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ମାରିଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବଅଁରପାଳ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଲୋଧାଝରି ଗ୍ରାମର ସୁଭଦ୍ରା ପାଡ଼ିନ ଭୁବନେଶ୍ଵରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କିଛି ଦିନ ତଳେ ଛୁଟି ନେଇ ଘରକୁ ବୁଲି ଆସିଥିଲେ। ୨୬ ତାରିଖ ଭୁବନେଶ୍ୱର ଯିବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ତାଳଚେର ଷ୍ଟେସନରେ ପହଞ୍ଚି ଟ୍ରେନ ନଥିବା ଜାଣିବାକୁ ପାଇଥିଲେ। ତେଣୁ ଅଟୋରିକ୍ସାରେ ତାଳଚେର ରୋଡ ଷ୍ଟେସନ ଯାଇଥିଲେ। କିନ୍ତୁ ତା’ ପରଠୁ ତାଙ୍କ ଫୋନ ଅଫ୍ ହୋଇଯାଇଥିଲା। ତା ପରଠୁ ଯୁବତୀ ନିଖୋଜ ଥିଲେ। ରବିବାର ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି।