ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ଭାଲୁଖାଇ ନାଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗତକାଲିଠାରୁ ନିଖୋଜ ଥିଲେ ନାବାଳିକା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ନ୍ୟାୟ ଦାବିରେ ଟାୟାର ଜାଳି ଅନୁଗୁଳ- ବନ୍ତଳା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଘଟଣାରୁ ପ୍ରକାଶ ଯେ,ମୃତ ଯସ୍ମୀନ..ବୟସ ଥିଲା ମାତ୍ର ୧୧ ବର୍ଷ। ବାପା ମା’ଙ୍କର ୫ ଜଣ ସନ୍ତାନ ସନ୍ତତି ଥିଲେ। ସବୁଠାରୁ ସାନ ଥିଲା ଯସ୍ମୀନ। ଉଦୁଉଦିଆ ପୂର୍ଣ୍ଣିମାର ଜହ୍ନ ପରି ୧୧ବର୍ଷୀୟ ଯସ୍ମୀନ ନିଜ ଭଲପାଇବା ଏବଂ ଆଚରଣରେ ସମସ୍ତଙ୍କୁ ବାନ୍ଧି ରଖିଥିଲା। କେବଳ ପରିବାର କାହିଁକି ସମଗ୍ର ଗାଁକୁ ଯେମିତି ନିଜ ପରିବାର ବୋଲି ଭାବୁଥିଲା ସେ। କିନ୍ତୁ ଆଜିର ଚନ୍ଦ୍ର ଗ୍ରହଣରେ ସତେ ଯେମିତି ଶ୍ୟାମସୁନ୍ଦରପୁର ଗାଁକୁ ଗ୍ରହଣ ଲାଗିଯାଇଛି। ବାପା ମା’ଙ୍କ ଅଲିଅଳି ଝିଅ ଯସ୍ମୀନ ଅଫେରା ରାଇଜକୁ ଚାଲିଯାଇଛି। ପୁର୍ଣିମାର ଇନ୍ଦୁ ଉପରେ ଆଜି କଳା ବାଦଲ ଘୋଟି ଅମାଅନ୍ଧକାର ଛାଇଯାଇଛି। ଅକାଳରେ ଚାଲି ଯାଇଛି ଯସ୍ମୀନଙ୍କ ଜୀବନ, ରବିବାର ସକାଳୁ ଯସ୍ମୀନଙ୍କ ମୃତ ଦେହ ଗାଁ ନାଳରେ ଭାସୁଥିବା ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।
ସୂଚନା ଯେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରର ଅଧିବାସୀ ହେଉଛନ୍ତି ଅକ୍ଷୟ ସେଠ। ତାଙ୍କର ସବୁଠାରୁ ଛୋଟ ଝିଅ ଯସ୍ମୀନ ଗତ କାଲି ବିଦ୍ୟାଳୟରୁ ଫେରିବା ପରେ ଖେଳିବାକୁ କହି ଘରୁ ବାହାରିଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଯସ୍ମୀନ ଘରକୁ ନଫେରିବା କାରଣରୁ ପ୍ରଥମେ ପରିବାର ଓ ପରେ ଗାଁର ସମସ୍ତ ଲୋକେ ଯସ୍ମୀନଙ୍କୁ ଖୋଜିବାରେ ଲାଗିଥିଲେ। ଯସ୍ମୀନଙ୍କୁ ନପାଇ ରାତି ତମାମ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ଏପରିକି ସଦର ଥାନା ପୋଲିସ ମଧ୍ୟ ଏନେଇ ଗାଁରେ ପହଁଚିଥିଲା। ରାତିରେ ଯସ୍ମୀନଙ୍କ କୌଣସି ସନ୍ଧାନ ମିଳି ନଥିଲା। ଆଜି ସକାଳୁ ଯସ୍ମୀନଙ୍କ ଭାଇ ଗାଁ ନିକଟ ଭାଲୁଖାଇ ନାଳରେ ଯସ୍ମୀନଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ତେବେ ଯସ୍ମୀନଙ୍କ ଶରୀରରେ କ୍ଷତ ଥିବା ସେ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏନେଇ ସମସ୍ତେ ଅସ୍ପଷ୍ଟ ଥିବା ବେଳେ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇବା ପାଇଁ ଲୋକେ ଦାବି କରିଛନ୍ତି। ଗାଁ ଲୋକେ ଶାବଳଭଙ୍ଗା ଛକରେ ରାସ୍ତା ଅବରୋଧ କରି ବସିଥିବା ଜଣାପଡିଛି।