ଅନୁଗୁଳ: ଅନୁଗୁଳରୁ ନିଖୋଜ ଉତ୍ତରପ୍ରଦେଶରୁ ଉଦ୍ଧାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ନିଖୋଜ ଯୁବତୀ ଘରକୁ ଫେରିଛନ୍ତି।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ହିଞ୍ଜାଡୋଲି ଗାଁର ମଦନ ପଧାନଙ୍କ ଝିଅ ଜାନବୀ ପଧାନ(୨୮) ଗତ ଜାନୁୟାରୀ ୨୩ତାରିଖରୁ ନିଖୋଜ ଥିଲେ। ତାଙ୍କର ମାନସିକ ବିକୃତି ଥିଲା। ଝିଅର ପତ୍ତା ନ ପାଇ ମଦନ ପଧାନ ପୁରୁଣାକୋଟ ଥାନାରେ ରିପୋର୍ଟ କରିଥିଲେ। ତେବେ ଗତ ଜୁନ ୩୦ ତାରିଖ ଦିନ ଜାନବୀ ଉତ୍ତରପ୍ରଦେଶର ନନ୍ଦିଗ୍ରାମ ଟ୍ରାଫିକ ଛକ ନିକଟରେ ବୁଲୁଥିବା ବେଳେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା। କିନ୍ତୁ ଓଡ଼ିଆ ଭାଷାରେ କଥା ବାର୍ତ୍ତା କରୁଥିବା ଯୋଗୁଁ ପୋଲିସ ଜଣେ ଓଡ଼ିଆ ଲୋକର ସହାୟତାରେ ଜାନବୀର ଭାଷା ବୁଝି ପୁରୁଣାକୋଟ ଥାନା ଅଧିକାରୀ ସନ୍ତୋଷ ଜେନାଙ୍କୁ ଫୋନ ଯୋଗେ ଜଣାଇ ଥିଲେ। ପୁରୁଣାକୋଟ ପୋଲିସ ମଦନ ପ୍ରଧାନଙ୍କୁ ଝିଅ ମିଳିଥିବା ନେଇ ସୂଚନା ଦେଇଥିଲେ।
ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାନବୀକୁ ଫେରାଇ ଆଣିବାକୁ କଥା ହୋଇଥିଲେ। ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଜଣେ ମହିଳା ଓ ଜଣେ ପୁରୁଷ କନେଷ୍ଟବଳ ଜାନବୀଙ୍କୁ ଧରି ଅନୁଗୁଳ ଏସପି ଅଫିସରେ ପହଞ୍ଚିଥିଲେ ଏବଂ ପୁରୁଣାକୋଟ ଥାନା ଅଧିକାରୀ ସନ୍ତୋଷ ଜେନାଙ୍କୁ ଜାନବୀଙ୍କୁ ହସ୍ତାନ୍ତର କରିଥିଲେ। ଥାନା ଅଧିକାରୀ ଶ୍ରୀ ଜେନା ତାଙ୍କ ଗାଡ଼ିରେ ଜାନବୀଙ୍କୁ ନେଇ ହିଞ୍ଜାଡୋଲି ଗ୍ରାମରେ ଛାଡିଥିଲେ। ଜାନବୀଙ୍କୁ ପାଇ ପରିବାରରେ ଖୁସିର ଲହରି ଖେଳି ଯାଇଛି। ପରିବାର ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।