ମୁଖ୍ୟ ଖବର

ରେଳ ଧାରଣା କଡ଼ରୁ ଯୁବକଙ୍କ ରକ୍ତଭିଜା ମୃତ ଦେହ ଉଦ୍ଧାର, ୫ ଦିନ ହେଲା ଥିଲେ ନିଖୋଜ

By Angul TV Bureau

May 12, 2023

ତାଳଚେର: ଆଜି ତାଳଚେର ବ୍ଲକ୍ ଅନ୍ତର୍ଗତ ଡେରା ପାଣିହାଟିଙ୍ଗ ନିକଟସ୍ଥ ରେଳ ଧାରଣା କଡ଼ରେ ଥିବା ଡ୍ରେନରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି।

ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଯୁବକଙ୍କୁ ପଥରରେ ଛେଚି ହତ୍ୟା ପରେ ରେଳ ଧାରଣା କଡ଼ରେ ଥିବା ଡ୍ରେନକୁ ପକାଇ ଦେଇଛନ୍ତି। ପରିବାର ଲୋକଙ୍କ କହିବାନୁସାରେ, ମୃତ ଯୁବକ ହେଲେ ଡେରା ପାଣି ହାଟିଙ୍ଗ ଅଞ୍ଚଳର ସନ୍ତୋଷ ଗିରି। ସେ ଗତ ସୋମବାର ଠାରୁ ନିଖୋଜ ଥିବା ବେଳେ ଆଜି ତାଙ୍କ ମା’ କୋଇଲା ପାଇଁ ଯିବା ବେଳେ ତାଙ୍କ ଚପଲ ରେଳ ଧାରଣା ଉପରେ ପଡିଥିବା ଦେଖିଥିଲେ। ପରେ ଖୋଜାଖୋଜି କରିବା ବେଳେ ତାଙ୍କ ପୁଅର ମୃତ ଦେହ ରେଳ ଲାଇନ କଡ଼ରେ ଥିବା ଡ୍ରେନରେ ପଡିଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ଏକ ରକ୍ତ ଲାଗିଥିବା ପଥର ପଡ଼ିଥିବା ବେଳେ ସେହି ସ୍ଥାନର ବିଭିନ୍ନ ସ୍ଥାନରେ ରକ୍ତ ପଡିଥିଲା। ଏନେଇ ସେ ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ। କୋଲିୟାରୀ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ତେବେ କିଛି ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ରେଳ ଧାରଣା ପାଖରେ ଥିବା ଡ୍ରେନକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।