ମୁଖ୍ୟ ଖବର

ଘରଠୁ ୧୦୦ ମିଟର ଦୂରରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

By Angul TV Bureau

November 06, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଘରିଆ ଗାଁରେ ତିନି ଦିନ ହେଲା ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତ ଦେହ ଆଜି ଠାବ ହୋଇଛି। ମୃତକ ହେଲେ ରତନ ନାଏକ (୩୦)। ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ତାଙ୍କ ମୃତ ଦେହ ପଡ଼ିଥିବା ଗାଁ ଲୋକେ ଦେଖି ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।

ମୃତକଙ୍କ ପତ୍ନୀଙ୍କର କହିବା ଅନୁଯାୟୀ, ଯେଉଁଠାରେ ମୃତ ଦେହ ପଡ଼ିଛି ସେଠାରେ ସେମାନେ ପୂର୍ବରୁ ବି ଖୋଜି ଥିଲେ। କିନ୍ତୁ ପାଇନଥିଲେ। ମାତ୍ର ଆଜି ସେହିଠାରେ ମୃତ୍ୟୁ ଦେହ ପଡ଼ିଛି।

ପତ୍ନୀ ସୂର୍ଯ୍ୟା ନାଏକ ଅଭିଯୋଗ କରିଛନ୍ତି, ତାଙ୍କୁ ତିନିଦିନ ତଳେ ଦୁଇ ଜଣବ୍ୟକ୍ତି ଆସି ଟଙ୍କା ମାଗୁଥିଲେ, ସେମାନେ ନିଜକୁ ଏକ୍ସସାଇଜ କର୍ମଚାରୀ ବୋଲି କହିଥିଲେ। ମଦ ବେପାର କରୁଛ, ଟଙ୍କା ଦିଅ ବୋଲି ସେମାନେ କହିଥିଲେ। ମନା କରିବାରୁ ସେମାନେ ଧମକ ଦେଇଥିବା ପତ୍ନୀ କହିଛନ୍ତି। ଏଣୁ ସ୍ୱାମୀଙ୍କ ହତ୍ୟା ପଛରେ ଏକ୍ସସାଇଜ କର୍ମଚାରୀଙ୍କ ହାତ ଅଛି ବୋଲି ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ମୃତ ରତନଙ୍କ ଆଉ ଜଣେ ସ୍ତ୍ରୀ ରିନା ନାଏକ ମଧ୍ୟ ମୋ ସ୍ଵାମୀକୁ ମାରି ଦିଆଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ପତ୍ନୀଙ୍କ ଅଭିଯୋଗ ଆଧାରରେ ଅନୁଗୁଳ ଟାଉନ ଥାନା ପୋଲିସ ତଦନ୍ତ ଚଳାଇଥିବା ଜଣାଯାଇଛି।