ମୁଖ୍ୟ ଖବର

ମିଶନ ଇନ୍ଦ୍ରଧନୁଷ୍ ଓ କ୍ବାଲିଟି ଆକ୍ୟୁରାନ୍ସ ବୈଠକ ଆୟୋଜିତ: ୪,୩୨୬ ଜଣ ହିତାଧିକାରୀଙ୍କୁ ଟୀକା ପ୍ରଦାନ ପାଇଁ ଲକ୍ଷ୍ୟ

By Angul TV Bureau

September 08, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ମିଶନ ଇନ୍ଦ୍ରଧନୁଷ୍ ୫.୦ (ଟୀକାକରଣ)ର ଦ୍ବିତୀୟ ଜିଲ୍ଲାସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ମିଶନ ଇନ୍ଦ୍ରଧନୁଷ (ଟୀକାକରଣ କାର୍ଯ୍ୟକ୍ରମ) ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ୬୮୨ଟି ଟୀକାକରଣ କ୍ୟାମ୍ପ ଜରିଆରେ କରିବାର ଯୋଜନା ରହିଛି । ସେଥି ମଧ୍ୟରୁ ୬୧ଟି କ୍ୟାମ୍ପ ଦୁର୍ଗମ ଅଞ୍ଚଳରେ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ମୋଟ ୪,୩୨୬ ଜଣ ହିତାଧିକାରୀଙ୍କୁ ଟୀକା ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥି ମଧ୍ୟରୁ ୦ ରୁ ୧ ବର୍ଷ ମଧ୍ୟରେ ୧,୮୯୬ ଜଣ, ୧ରୁ ୨ ବର୍ଷ ମଧ୍ୟରେ ୧,୧୭୬ ଜଣ, ୨ରୁ ୫ ବର୍ଷ ମଧ୍ୟରେ ୬୩୩ ଜଣ ଶିଶୁଙ୍କୁ ତଥା ୬୨୧ ଜଣ ଗର୍ଭବତୀ ମହିଳାଙ୍କୁ ଟୀକା ପ୍ରଦାନ କରିବା ଯୋଜନା କରାଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା କ୍ବାଲିଟି ଆକ୍ୟୁରାନ୍ସ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବୈଠକରେ ପରିବାର ନିୟୋଜନ ଉପରେ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଉପପରିଚାଳକ ସୂର୍ଯ୍ୟପ୍ରତାପ ମହାମାନସିଂ କହିଥିଲେ ଯେ ଚଳିତ ବର୍ଷ ମୋଟ ୯୮ଟି ସ୍ବାସ୍ଥ୍ୟ ଅନୁଷ୍ଠାନ “କାୟାକଳ୍ପ” ମାନ ନିର୍ଦ୍ଧାରଣ ପାଇଁ ଚୟନ ହୋଇଛନ୍ତି। ସେହିପରି ୩୦ ଟି ସ୍ବାସ୍ଥ୍ୟ ଅନୁଷ୍ଠାନ “ସୁମନ” ପ୍ରମାଣ ପତ୍ର ପାଇଁ ମନୋନୀତ ହୋଇଛନ୍ତି।