ମୁଖ୍ୟ ଖବର

ଅନୁଗୋଳର ବନ୍ଦ ବିଦ୍ୟାଳୟ ଖୋଲିବାକୁ ବିଧାନସଭାରେ ବିଧାୟକଙ୍କ ଦାବି, ହିଡ଼ିସିଂ ଜଳପ୍ରକଳ୍ପରେ ଜମିହରାଙ୍କୁ ଅଧିକ କ୍ଷତିପୂରଣ ପ୍ରସଙ୍ଗ ଉଠାଇଲେ ପ୍ରତାପ

By Angul TV Bureau

November 27, 2026

ଅନୁଗୋଳ: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜନସମସ୍ୟା ଆଜି ବିଧାନସଭାରେ ଉଠାଇଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ଇଙ୍କରବନ୍ଧ ଗ୍ରାମ ପଞ୍ଚାୟତର ସାନକଞ୍ଜନୀ ପ୍ରାଥମିକ ବିଦ୍ୟାଳୟର ପୁନଃ ଖୋଲିବା ଏବଂ ବନ୍ତଳା ଅଞ୍ଚଳର ହିଡିସିଂ ଜଳପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗକୁ ଆଜି ଶ୍ରୀ ପ୍ରଧାନ ଗୃହରେ ଉପସ୍ଥାପିତ କରିଛନ୍ତି।

ସାନକଞ୍ଜନୀ ଗ୍ରାମରେ ଛାତ୍ରଛାତ୍ରୀ ଥିବା ସତ୍ତ୍ୱେ ୨୦୧୧ରେ ସେଠାକାର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଥିଲା। ଫଳରେ ଗ୍ରାମର ପିଲାମାନେ ପାଠପଢ଼ିବା ପାଇଁ ଦୂର ବଡ଼କଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅସୁବିଧା ହେଉଥିବାରୁ ସାନକଞ୍ଜନୀ ବିଦ୍ୟାଳୟକୁ ପୁନଃ ଖୋଲିବା ସହ ସେଠାରେ ଶିକ୍ଷାଦାନ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ବିଧାୟକ। ବାଚସ୍ପତି ସୁରମା ପାଢ଼ୀଙ୍କ ଜରିଆରେ ଏହି ଦାବି ଉପସ୍ଥାପନ କରାଯାଇଛି।

ସେହିପରି ବନ୍ତଳା ଅଞ୍ଚଳର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ହିଡିସିଂଠାରେ ପ୍ରସ୍ତାବିତ ଜଳପ୍ରକଳ୍ପରେ ଜମି ଅଧିଗ୍ରହଣ କ୍ଷତିପୂରଣ ପ୍ରସଙ୍ଗ ମଧ୍ୟ ଗୃହରେ ଉଠିଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ମଞ୍ଜୁରୀ ପରେ ପ୍ରକଳ୍ପର ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଶେଷ ହୋଇଛି। ତେବେ ଅନୁଗୋଳ ଶିଳ୍ପବହୁଳ ଅଞ୍ଚଳ ହୋଇଥିବାରୁ ଜମିର ସରକାରୀ ମୂଲ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ପ୍ରକଳ୍ପ ଯୋଗୁଁ ଜମି ହରାଇବାକୁ ଥିବା ପ୍ରଜାମାନେ ଅଧିକ କ୍ଷତିପୂରଣ ଦାବି କରୁଛନ୍ତି।

ଜମିହରା ପ୍ରଜାଙ୍କ ଦାବି ଓ ଅଞ୍ଚଳର ବର୍ତ୍ତମାନର ଜମି ମୂଲ୍ୟକୁ ବିଚାରକୁ ନେଇ ଜଳପ୍ରକଳ୍ପ ପାଇଁ ଅଧିଗ୍ରହଣ ହେବାକୁ ଥିବା ଜମି ବାବଦରେ ଉପଯୁକ୍ତ ଓ ଅଧିକ କ୍ଷତିପୂରଣ ପ୍ରଦାନ ଦିଗରେ ସରକାର ଧ୍ୟାନ ଦେବାକୁ ଦାବି କରାଯାଇଛି।