ଅନୁଗୋଳ: କଣିହାଁ ଅଞ୍ଚଳର କୋଇଲା ଖଣି କମ୍ପାନୀଗୁଡ଼ିକରେ ପୂର୍ବରୁ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ନୂତନ କମ୍ପାନୀରେ ନିଯୁକ୍ତି ପ୍ରଦାନ ଦାବିରେ ଚାଲିଥିବା ଆନ୍ଦୋଳନରେ ତାଳଚେର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି ବ୍ରଜକିଶୋର ପ୍ରଧାନ ସାମିଲ ହୋଇଛନ୍ତି।
ଶ୍ରମିକମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ବିଧାୟକ ଶ୍ରୀ ପ୍ରଧାନ ଏହି ସମସ୍ୟାର ସ୍ଥାୟୀ ଓ ଯଥାଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରସଙ୍ଗରେ ଆସନ୍ତାକାଲି ଅପରାହ୍ନ ୩ ଘଟିକା ସମୟରେ ତାଳଚେର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିବା ସେ ସୂଚନା ଦେଇଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ କଣିହାଁ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପ୍ରଧାନ, ୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ, ଜିଲ୍ଲା ବିଜେଡି ଉପ-ସଭାପତି ସୁନିଲ କୁମାର ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୧୨ଟି କ୍ଷତିଗ୍ରସ୍ତ ଗ୍ରାମର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ।