ତାଳଚେର: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତାଳଚେର ହାଣ୍ଡିଧୂଆଁସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମନ୍ଦିର ପରିଦର୍ଶନ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ବିଧାୟକ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ଦର୍ଶନ କରି ସମଗ୍ର ବିଶ୍ୱର ଶାନ୍ତି, ସମୃଦ୍ଧି ଓ ସର୍ବଜନଙ୍କ ସୁଖ-ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ।
ଏହି ଅବସରରେ ସେ ମନ୍ଦିର ପରିସରରେ ନବନିର୍ମିତ ମହାପ୍ରଭୁଙ୍କ ଅଣସର ଗୃହର ଶୁଭ ଉଦଘାଟନ କରିଥିଲେ। ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଅଣସର ଘରେ ଗୁପ୍ତ ନୀତିରେ ରହିବେ। ସେହି ସମୟରେ ଠାକୁରଙ୍କ ଗୁପ୍ତ ସେବା ପାଇଁ ନିର୍ମିତ ଏହି ଅଣସର ଗୃହ ବେଶ ସହାୟକ ହେବ ବୋଲି ସେବାୟତ ଓ ଭକ୍ତମାନେ ମତ ଦେଇଛନ୍ତି।
ଉଦଘାଟନ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ, ସ୍ଥାନୀୟ ଜନପ୍ରତିନିଧି ଓ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।