ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ମୋବାଇଲ ଲୁଟେରା । ଦିନ ତମାମ୍ ସହରରେ ପଇଁତରା ମାରି ଲୋକଙ୍କ ହାତରୁ ମୋବାଇଲ ଝାମ୍ପି ନେଉଛନ୍ତି ଦୁର୍ବୃତ୍ତ । ଶୁକ୍ରବାର ପୂର୍ବାହ୍ନରେ ମୋବାଇଲ୍ ଲୁଟ୍ କରୁଥିବା ବେଳେ ଜଣେ ନାବାଳକ ଧରାପଡ଼ିଛି । ସମ୍ପୃକ୍ତ ନାବାଳକକୁ ପୁଲିସ ଜିମାରେ ଦେବା ପରେ ପୁଲିସ୍ ଅଭିଯୁକ୍ତ ନାବାଳକକୁ ଗିରଫ କରି କୋର୍ଟଚାଲାଣ କରିଛି । ପୁଲିସ୍ ସୂଚନା ମୁତାବକ, ହରିମହୁରି ଛକର ଇନ୍ଦ୍ରଜିତ୍ ସନାଲ୍ ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜେଲ୍ ସମ୍ମୁଖକୁ ପରିବା କିଣିବାକୁ ଆସିଥିଲେ। ସେ ପରିବା କିଣୁଥିବା ବେଳେ ଜଣେ ନାବାଳକ ତାଙ୍କ ପାଖରେ ପହଞ୍ଚିଥିଲା। ଇନ୍ଦ୍ରଜିତ୍ ପରିବା କିଣିବାରେ ବ୍ୟସ୍ତ ଥିବା ବେଳେ ନାବାଳକ ତାଙ୍କ ସାର୍ଟ ପକେଟରୁ ମୋବାଇଲକୁ ଝାମ୍ପି ନେଇ ଦୌଡ଼ିବାକୁ ଲାଗିଥିଲା । ମାତ୍ର ଇନ୍ଦ୍ରଜିତ୍ ତାକୁ କାବୁ କରି ନେଇଥିଲେ ।