ମୁଖ୍ୟ ଖବର

ରାସାୟନିକ ବିପର୍ଯ୍ୟୟ ସମ୍ପର୍କରେ ପ୍ରଶିକ୍ଷଣ ଓ ସମନ୍ବୟ ବୈଠକ, ଆସନ୍ତା ୧୧ ରେ ହେବ ମକ୍ ଡ୍ରିଲ୍

By Angul TV Bureau

January 04, 2024

ଅନୁଗୁଳ : ବୁଧବାର ଅପରାହ୍ନରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ରାସାୟନିକ ବିପର୍ଯ୍ୟୟ ସମ୍ପର୍କରେ ଏକ ପ୍ରଶିକ୍ଷଣ ଓ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଅଧ୍ୟକ୍ଷତା କରି କହିଥିଲେ, ରାସାୟନିକ ବିପର୍ଯ୍ୟୟ ବେଳେ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ସହଭାଗିତାରେ କିପରି ମୁକାବିଲା କରିବେ ତାହା ବୈଠକର ମୂଳ ଉଦ୍ଦେଶ୍ୟ। ବୈଠକରେ ଆଭାସୀ ମାଧ୍ୟମରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଓ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ର ବରିଷ୍ଠ ଅଧିକାରୀ ଯୋଡି ହୋଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏ ଅବସରରେ ଆସନ୍ତା ଜାନୁଆରୀ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମକ୍ ଡ୍ରିଲ୍ ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ସୁବାଶିଷ ମୁଦୁଲି, ଉପ ଆରକ୍ଷୀ ଅଧୀକ୍ଷକ ପ୍ରତିମା ମାଝୀ, ଜିଲ୍ଲା ଆପାତକାଳୀନ କାର୍ଯ୍ୟାଳୟର କର୍ମଚାରୀ, ଜେଏସ୍ ପି ଏଲ୍, ଇଣ୍ଡିଆନ ଅଏଲ୍‌ ଓ ନାଲକୋର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।