ଅନୁଗୁଳ: ବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ବିପୁଳ ପରିମାଣର ପରିପକ୍ଵ ଗଞ୍ଜେଇ ଗଛକୁ ନଷ୍ଟ କରିବା ସହିତ ମାଫିଆ ମାନେ ରଖିଥିବା ଏକ ବନ୍ଧୁକକୁ ଜବତ କରାଯାଇଛି
ସୂଚନାଯୋଗ୍ୟ ଯେ ଦିନ ଥିଲା ଛେଣ୍ଡିପଦା ବ୍ଳକ ଗଞ୍ଜେଇ ଚାଷରେ ମିନି ଆଫଗାନିସ୍ତାନ ପାଲଟିଥିଲା। ୨୦୧୩ରେ ତତ୍କାଳୀନ ଆରକ୍ଷୀ ଅଧୀକ୍ଷକ ନରସିଂହ ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ମୁଣ୍ଡ ଟେକିଛି। ଏ ନେଇ ଜରପଡା ପୋଲିସ ଓ ଅନୁଗୁଳ ଅବକାରୀ ବିଭାଗ ଓ ଜରପଡ଼ା ବନ ବିଭାଗ ମିଳିତ ଭାବେ ନାଉପଦା, ମାଟିଗାଡ଼ିଆ, ବାଲିପଶି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରାୟ ୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ନଷ୍ଟ କରି ଦିଆଯାଇଛି। ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।