ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚିକିତ୍ସାଳୟର ଶବଗୃହ ନିକଟରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଶବଗୃହର ପାଚେରି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତ ଶ୍ରମିକ ଦ୍ୱୟ ହେଲେ ବନ୍ତଳା ଥାନା ଅନ୍ତର୍ଗତ ନୂଆକ୍ଷେତା ଗ୍ରାମର କେଶବ ଭୋଇ ଏବଂ ଅନୁଗୁଳ ସହର ରାଧାରମଣପଡ଼ାର ପ୍ରେମାନନ୍ଦ ରାଉତ।
ସୂଚନା ଅନୁସାରେ, ଶନିବାର ଶବଗୃହ ପାଚେରି ପାର୍ଶ୍ୱରେ ପ୍ରାୟ ୧୦ ଜଣ ଶ୍ରମିକ ଡ୍ରେନ୍ ତିଆରି କାର୍ଯ୍ୟରେ ନିୟୋଜିତ ଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ୍ ସମ୍ପୂର୍ଣ୍ଣ ପାଚେରିଟି ଭୁଶୁଡ଼ି ପଡ଼ିଥିଲା। ପାଚେରି ପଡ଼ୁଥିବା ଦେଖି ଅନ୍ୟ ଶ୍ରମିକମାନେ ସେଠାରୁ ଦୌଡ଼ି ପଳାଇ ନିଜ ଜୀବନ ରକ୍ଷା କରିଥିବା ବେଳେ କେଶବ ଓ ପ୍ରେମାନନ୍ଦ ଏହାର ମାଟି ଓ ଇଟା କାନ୍ଥ ତଳେ ଫସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ମେଡିକାଲ କର୍ମଚାରୀ ଓ ଅନ୍ୟମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ମାତ୍ର କେଇ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ପାଚେରିଟି ଏଭଳି ଭାବେ ଭୁଶୁଡ଼ି ପଡ଼ିବା ପଛରେ ନିମ୍ନମାନର କାର୍ଯ୍ୟକୁ ଦାୟୀ କରି ସାଧାରଣରେ ଅଭିଯୋଗ ହୋଇଛି।