ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗ ଜରଡ଼ା ଗାଁରେ ପୂର୍ବ ଶତ୍ରୁତାଙ୍କୁ ନେଇ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଗୁରୁବାର ମା’ ଓ ପୁଅଙ୍କୁ ଗିରଫ କରିଛି। ସୂଚନା ଯେ, ଗାଁର ରସା ସେଠୀ(୫୦)ଙ୍କ ସହ ନୀରଞ୍ଜନ ସେଠୀ(୨୪)ଙ୍କ ପୂର୍ବରୁ ଶତ୍ରୁତା ରହିଥିଲା। ୧୮ ତାରିଖ ସନ୍ଧ୍ୟାରେ ନୀରଞ୍ଜନ ସେଠୀ ଓ ତାଙ୍କ ମା’ ଚମ୍ପା ସେଠୀ(୪୨) ହାତରେ ଟଙ୍ଗିଆ ଧରି ରସା ସେଠୀଙ୍କ ଘର ସାମ୍ନାରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ରସା ଘରୁ ବାହାରି ଆସିବାରୁ ନିରଞ୍ଜନ ଓ ଚମ୍ପା ତାଙ୍କୁ ଟାଙ୍ଗିଆଧରି ଗୋଡ଼ାଇଥିଲେ। ଜୀବନ ବିକଳରେ ରସା ତାଙ୍କ ବଡ଼ଭାଇଙ୍କ ଘରେ ପଶିଯାଇଥିଲେ।
ତେବେ ସେଠାରେ ଏହି ମା’ ଓ ପୁଅ ତାଙ୍କୁ ଟାଣିଆଣି ଟଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ରସା ଗୁରୁତର ଆହତ ହୋଇଥିଲେ। ଏ ନେଇ ରସା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଗୁରୁବାର ନିରଞ୍ଜନ ଓ ଚମ୍ପାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।