ଅନ୍ୟାନ୍ୟ

ଉପଜିଲ୍ଲାପାଳଙ୍କ ଚେଷ୍ଟାରେ ମିଶିଲେ ମା’-ପୁଅ, ଦୀର୍ଘ ଦିନ ହେଲା ଚାଲିଥିଲା ଗଣ୍ଡଗୋଳ

By Angul TV Bureau

September 14, 2022

ଅନୁଗୁଳ: ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳର ଏକ ଘରୋଇ କଳହ ଉପଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ସମାଧାନ ହୋଇଛି। ଏଥିସହ ଏକାଠି ହୋଇଛନ୍ତି ମା ଓ ପୁଅ। ଏହି ଘରୋଇ କଳହର ସମାଧାନ ପାଇଁ ଅଗଷ୍ଟ ୨୩ରେ ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମା’ ଶୈଳବାଳା।

ସୂଚନା ମୁତାବକ, ଶୈଳବାଳା ବ୍ଲକ କାର୍ଯ୍ୟାଳୟରୁ ନିଜ ନାମରେ ଏକ ବିଜୁ ପକ୍କାଘର ପାଇଥିଲେ। ସେ ଏହିଘର କାମ ଠିକାଦାର ଦ୍ୱାରା କରିବାକୁ ଚାହୁଁଥିଲେ। କିନ୍ତୁ ପୁଅ ଟୁନା ନିଜେ କାମ କରିବ ବୋଲି କହିବାରୁ ଶୈଳବାଳା ହଁ କହିଥିଲେ। ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତି ବିଲ ପାଇବା ପରେ ଟୁନା ଘରର ଛାତ କାର୍ଯ୍ୟ ଶେଷ କରିଦେଇଥିଲା। ଏହା ପରେ ତୃତୀୟ କିସ୍ତି ୪୦ ହଜାର ଟଙ୍କାର ବିଲ୍ ମିଳିଥିଲା।

ଟଙ୍କା ମିଳିବା ପରେ ଶୈଳବାଳା ଟଙ୍କା ଉଠାଇ ଝିଅ ଘରକୁ ଚାଲିଯାଇଥିଲେ। ଝିଅ ମା’ ଠାରୁ ଟଙ୍କା ନେଇଯାଇ ଅଳ୍ପ କିଛି ଦିନ ତାଙ୍କୁ ଘରେ ରଖି ପରେ ତଡ଼ି ଦେଇଥିଲା। ଝିଅ ଠାରୁ ତଡ଼ା ଖାଇବା ପରେ ଶୈଳବାଳା ପୁଅ ପାଖକୁ ଯିବାରୁ ପୁଅ ତାଙ୍କୁ ଆଉ ଘରେ ପୂରାଇ ନଥିଲା। ଫଳରେ ଅସହାୟ ହୋଇ ଶୈଳବାଳା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲା l ଉପଜିଲ୍ଲାପାଳ ତରଣୀ ସୁନା ମା, ପୁଅ, ବୋହୂଙ୍କୁ ନୋଟିସ କରି କାର୍ଯ୍ୟାଳୟକୁ ଡକାଇଥିଲେ। ତିନିଜଣଙ୍କୁ ବୁଝାସୁଝା କରିବା ପରେ ଏବେ ସେମାନେ ଏକାଠି ଚଳିବାକୁ ରାଜି ହୋଇଛନ୍ତି। ଗଣ୍ଡଗୋଳ କରିବେ ନାହିଁ ଓ ବିଜୁ ପକ୍କାଘରର ବାକିଥିବା କାର୍ଯ୍ୟ ସରିବା ପରେ ସମସ୍ତ ବାକି ବିଲ ଟଙ୍କା ପୁଅ ଟୁନାକୁ ପ୍ରଦାନ କରିବେ ବୋଲି ଶୈଳବାଳା ରାଜି ହୋଇଥିଲେ। ଏଥିସହ ପୁଅ ବୋହୂ ମଧ୍ୟ ମା’ଙ୍କୁ ଖାଇବାକୁ ଦେଇ ସେବା କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।ଉପଜିଲ୍ଲାପାଳଙ୍କ ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଶୈଳବାଳା ପ୍ରଧାନ ଙ୍କ ପୁଅ ଟୁନା ପ୍ରଧାନ ଓ ବୋହୁ କଲ୍ୟାଣୀ ପ୍ରଧାନ ତାଙ୍କୁ ଘରେ ପୁରାଉନାହାନ୍ତି କି ଖାଇବାକୁ ଦେଉନାହାନ୍ତି ବୋଲି ଗତ ୨୩ ଅଗଷ୍ଟ ରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ନିକଟରେ ଅଭିଯୋଗ କରିଥିଲେ l