ଅନୁଗୁଳ: ଆଜିର ମଣିଷ ସମାଜ ଧୀରେ ଧୀରେ ନୃଶଂସତାର ସବୁ ସୀମା ଟପିଗଲାଣି। ନିଜ ସ୍ୱାର୍ଥ ପାଇଁ ହେଉ କି ସାମାନ୍ୟତମ ଆତ୍ମ ସନ୍ତୁଷ୍ଟି ପାଇଁ, ମଣିଷ ଏତେ ତଳକୁ ଖସି ଯାଉଛି ଯେ ତାହା ଭାଷାରେ ବି ପରିପ୍ରକାଶ କରିବା ଅସମ୍ଭବ। ମଣିଷ ସମାଜ କେତେ ତଳକୁ ଖସି ପରେ ତାହାର ନଗ୍ନ ଚିତ୍ର ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡ଼ା ଗ୍ରାମ ଦେଇ ଜାତୀୟ ରାଜପଥ ୫୫ ନମ୍ୱର୍ ଯାଇଥିବା ତୁକୁଡ଼ା ଛକ ମା’ ଦକ୍ଷିଣ କାଳୀ ମନ୍ଦିର ନିକଟରେ ଦେଖିବାକୁ ମିଳିଛି। ଏଠାରେ କେହି ଏକ ମା କୁକୁର ସହ ତା’ କୁନି କୁନି ୪-୫ଟି ଛୁଆକୁ ବିଷ ଦେଇ ଦେଇଛି। ଛୁଆଗୁଡ଼ିକ ବିଷକ୍ରିୟା ଯୋଗୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ମା’ କୁକୁରଟି ରାସ୍ତାରେ ଛଟପଟ ହେଉଥିବା ଦେଖାଯାଇଛି। ଏହି ଦୃଶ୍ୟ ଦେଖିଲେ ଛାତି କୋରେଇ ହୋଇଯାଉଛି। କୁକୁରଟି ବିଷ ଜଳାରେ ଛଟପଟ ହେଉଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାକୁ ସାହାଯ୍ୟ କରିବେ କଣ ବରଂ ଦୂରଦୂର ମାରମାର କରୁଛନ୍ତି। କୁକୁରଟି ଉଠି ପାରୁନଥିଲେ ବି ମାଡ଼ ଭୟରେ ଘୁଷୁଡ଼ି ଘୁଷୁଡ଼ି ଆଗକୁ ଯାଉଥିବା ଦେଖାଯାଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, କିଛି ସମୟ ପର୍ଯ୍ୟନ୍ତ ଛାଟିପିଟି ହେବା ପରେ କୁକୁରଟିର ମୃତ୍ୟୁ ଘଟିଥିଲା। ମା’ କୁକୁର ସହ ୪ ଛୁଆଙ୍କ ମୃତ ଦେହ ଏକାଠି ପଡ଼ିଥିବା ହୃଦୟ ବିଦାରକ ଦୃଶ୍ୟ ଦେଖି ଅନେକଙ୍କ ଆଖିରେ ଲୁହ ଭରିଯାଇଥିଲା। ତେବେ ଏଭଳି ଘଟଣା ଆଜି ପଶୁ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଥିବା ବେଳେ ନିଷ୍ପାପ ପାଟି ଖୋଲୁନଥିବା ଏହି ଜୀବଙ୍କୁ ବିଷ ଦେଇ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଚିହ୍ନଟ କରି ତାକୁ କଡ଼ା ଶାସ୍ତି ଦେବାକୁ ସାଧାରଣରେ ଦାବି ହୋଇଛି।