ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର କୂଅରେ ପଡ଼ି ପ୍ରାଣ ହରାଇଥିବା ଦୁଇ ଯମଜ ଭାଇ ଭଉଣୀଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିଛି। ଅସାବଧାନତା ବଶତଃ ନୁହେଁ, ବରଂ ନିଜ ଜନ୍ମ ଦାତ୍ରୀ ମା ତପସ୍ୱିନୀ ସାହୁ ହିଁ ଦୁଇ ଛୁଆଙ୍କୁ କୂଅରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛନ୍ତି।
ସୂଚନା ଅନୁସାରେ, ତିନିମାସ ତଳେ ବନ୍ତଳା ଥାନା ମୁଣ୍ଡାଢ଼ିପର ସୁନୀଲ କୁମାର ସାହୁ ଓ ତପସ୍ୱିନୀ ସାହୁଙ୍କ ଯାଆଁଳା ପୁଅ ଓ ଝିଅ ଜନ୍ମ ହୋଇଥିଲେ। ବିବାହର ପ୍ରାୟ ୧୨ ବର୍ଷ ପରେ ଉଭୟଙ୍କ ଏପରି ଦୁଇ ସନ୍ତାନ ଜନ୍ମ ହେବା ଯୋଗୁଁ ଦମ୍ପତିଙ୍କ ସହିତ ପୂରା ପରିବାର ଖୁସିରେ ଥିଲେ। ପୁଅ ନାଁ ଦେଇଥିଲେ ସାଇ ଓ ଝିଅ ନାଁ ଶ୍ରଦ୍ଧା ରଖାଯାଇଥିଲା।
ବୁଧବାର ସୁନୀଲ ଦୋକାନକୁ ଯାଇଥିବା ବେଳେ ତପସ୍ୱିନୀ ଘରେ ଏକା ପିଲାଙ୍କ ସହ ଥିଲେ। ସନ୍ଧ୍ୟାରେ ଦୁଇ ପୁଅ ଝିଅଙ୍କୁ ଘରେ ଶୋଇଦେଇ ନିକଟକୁ କ୍ଷୀର ଆଣିବାକୁ ଯାଇଥିବା ତପସ୍ୱିନୀ ସମସ୍ତଙ୍କୁ କହିଥିଲେ, କିନ୍ତୁ କିଏ ଓ କାହିଁକି ଛୁଆ ମାନଙ୍କୁ ମାରିଦେଇଛି ସେ ଜାଣି ନଥିବା କହିଥିଲେ। କିଛି ସମୟ ପରେ ସେ ଘରକୁ ଫେରିବା ବେଳକୁ ଘର ଭିତରେ ଲାଇଟ୍ ବନ୍ଦ ଥିଲା ଓ ପିଲାମାନେ ନ ଥିବା ଦେଖି ସେ ଖୋଜାଖୋଜି କରିବା ସହ ପାଖ ପଡ଼ୋଶୀଙ୍କୁ ଜଣାଇଥିଲେ। ସମସ୍ତେ ବହୁ ଖୋଜାଖୋଜି ପରେ ନିକଟରେ ଥିବା ଖୋଲା କୂଅରେ ଉଭୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଲୋକମାନେ କୂଅ ମଧ୍ୟରୁ ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଦୁଇ ଭାଇ-ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବନ୍ତଳା ପୋଲିସ ମେଡିକାଲ୍ରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ଲାଗି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ତେବେ ଆଜି ସକାଳେ ତପସ୍ୱିନୀ ତାଙ୍କ ସ୍ଵାମୀଙ୍କୁ ନିଜେ ପୁଅ ଓ ଝିଅକୁ ମାରିଦେଇଥିବା କହିବା ସହ ଦୋଷ ସ୍ୱୀକାର କରିଥିଲେ। ଏହା ପରେ ସୁନୀଲ ବନ୍ତଳା ପୋଲିସକୁ ଡାକି ତପସ୍ବିନୀଙ୍କୁ ଜିମା ଦେଇଥିଲେ। ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଛି ଯେ ତପସ୍ୱିନୀ ପ୍ରସବ ପର ଠାରୁ ଯନ୍ତ୍ରଣାରେ ଥିଲେ ଓ ସେଇ ଯନ୍ତ୍ରଣା ଜନିତ ମାନସିକ କାରଣରୁ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି। ଏକଥା ତପସ୍ୱିନୀ ସ୍ୱୀକାର କରିଥିବା ପୋଲିସ କହିଛି।