ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ମହିମା ଧାମରେ ଏକ ଦୁଃଖଦ ଘଟଣା ଘଟିଛି। ଧାମରେ ଦୀର୍ଘ ୭ ବର୍ଷ ଧରି ନୀତି ଦାୟିତ୍ୱ ତୁଲାଉଥିବା ୯୦ ବର୍ଷୀୟ ବ୍ରାହ୍ମଲୀନ ତ୍ୟାଗୀ ସୁରେନ୍ଦ୍ର ଦାସଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେ ଶୌଚ ଓ ସ୍ନାନ ପାଇଁ ସ୍ଥାନୀୟ ଲିଙ୍ଗରା ନଦୀକୁ ଯାଇଥିଲେ। ଦୀର୍ଘ ଅଢ଼େଇ ଘଣ୍ଟା ବିତିଯିବା ପରେ ମଧ୍ୟ ସେ ଫେରିନଥିଲେ। ଏଥିରେ ସନ୍ଦେହ ହେବାରୁ ଆଶ୍ରମର ଅନ୍ତେବାସୀମାନେ ନଦୀ କୂଳକୁ ଯାଇ ଖୋଜାଖୋଜି କରିବା ସହ ସେ ପାଣିରେ ବୁଡ଼ି ଯାଇଥିବା ଦେଖିବାକୁ ପାଇଥିଲେ।
ଏହାପରେ ତୁରନ୍ତ ଦମକଳ ବାହିନୀ ଓ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବାହିନୀ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଏବଂ ମହିମା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।