ଅନ୍ୟାନ୍ୟ

କେନାଲ ରାସ୍ତା କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସାଂସଦଙ୍କ ନିର୍ଦ୍ଦେଶ

By Angul TV Bureau

December 03, 2021

ଅନୁଗୁଳ:କିଛି ଦିନ ହେବ ଅନୁଗୁଳ ଜିଲ୍ଲା ତାଳଚେରରେ ଟ୍ରାଫିକ୍ ସମସ୍ୟା ଉଗ୍ରରୂପ ଧାରଣ କରିଥିବାରୁ ରେଙ୍ଗାଳି ଦକ୍ଷିଣ କେନାଲ ପାର୍ଶ୍ଵ ରାସ୍ତା କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ରେଙ୍ଗାଳି ଦକ୍ଷିଣ କେନାଲ ପାର୍ଶ୍ଵ ରାସ୍ତାକୁ ପିଏମ୍‌ଜିଏସୱାଇ ମାଧ୍ୟମରେ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋଡ଼ିବନ୍ଧ-ବେଲପଡ଼ା ଠାରୁ ତେହେରାନପୁର ପର୍ଯ୍ୟନ୍ତ କେନାଲ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଟ୍ରାଫିକ୍ ସମସ୍ୟା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଇ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ଉପରେ ସାଂସଦ ଶ୍ରୀ ସାହୁ ଗୁରୁତ୍ବାରୋପ କରିଛନ୍ତି। ତାଳଚେରରୁ ଜାତୀୟ ରାଜପଥ ଦେଇ ଚଳପ୍ରଚଳ କରୁଥିବା ହଜାର ହଜାର କୋଇଲା ପରିବହନ ଟ୍ରକ୍ ସମେତ ଅନ୍ୟାନ୍ୟ ଗାଡ଼ିଯାତାୟାତ ଯୋଗୁଁ ରାସ୍ତାରେ ଟ୍ରାଫିକ୍ ଜାମ୍ ରହୁଛି । ଫଳରେ ଜରୁରୀକାଳୀନ କାର୍ଯ୍ୟ ପାଇଁ ଆସୁଥିବା ଲୋକମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି ବୋଲି ସାଂସଦ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ବିକଳ୍ପ ରାସ୍ତାରେ ଗାଡ଼ି ଯିବା ଆସିବା କରିବା ଆବଶ୍ୟକ ହୋଇପଡ଼ିଛି। ତେଣୁ କେନାଲ ରାସ୍ତାକୁ ଶୀଘ୍ର ଶେଷ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବାକୁ ସାଂସଦ ପରାମର୍ଶ ଦେଇଛନ୍ତି।