ଅନୁଗୁଳ: ଦୀର୍ଘ ପାଞ୍ଚ ବର୍ଷ ହେବ ୫୫ ନମ୍ୱର୍ ଜାତୀୟ ରାଜପଥ ଭାଙ୍ଗିରୁଜି ନଷ୍ଟ ହେବା ସହ ଖାଲ ଖମାରେ ଭରି ଯାଇଛି। ପ୍ରତିଦିନ ଏଇ ରାସ୍ତାରେ କୋଉଠି ନା କୋଉଠି ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଚି। ଗଣମାଧ୍ୟମରେ ଯେତେ ଏ ନେଇ ପ୍ରକାଶିତ ହେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହି ଜାତୀୟ ରାଜପଥକୁ ମରାମତି କରୁଥିବା ଠିକା ସଂସ୍ଥା ଅର୍ଥ ଅଭାବରୁ ଚୁପ୍ ବସି ଯାଇଛି। ଏଭଳି କ୍ଷେତ୍ରରେ ଢେଙ୍କାନାଳ ସାଂସଦ ମହେଶ ସାହୁ ପୂର୍ବରୁ ଡାକରା ଦେଇଥିବା ଅନୁସାରେ ଗୁରୁବାର ସକାଳେ ବଅଁରପାଳ ଛକରେ ଧାରଣାରେ ବସିଥିଲେ। ନୁଆହତା ବଜାର କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହି ଧାରଣା ଦିଆଯାଇଥିଲା। ବିଜେଡି ଯୁବନେତା ଦୀନେଶ ପ୍ରଧାନ ଏବଂ ତାଙ୍କ ସମର୍ଥକ ମାନେ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ପୂର୍ବାହ୍ନ ଦଶଟା ପରେ ସର୍ବସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ।