ଅନୁଗୁଳ : ମୁଖ୍ୟ ସ୍ରୋତକୁ ଫେରିବେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଦୀର୍ଘ ବର୍ଷ ହେବ ବସବାସ କରୁଥିବା କଟରଙ୍ଗ ଗାଁ ଲୋକ। ଦେଖିବେ ବିକାଶର ନୂଆ ସୂର୍ଯ୍ୟ। ଏନେଇ ନିଜ ଆଡୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଏଥିପାଇଁ ସରକାରୀ ସ୍ତରରେ ସମସ୍ତ କାଗଜପତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏ ନେଇ ସୋମବାର କଟରଙ୍ଗ ଗାଁରେ ବନବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ମଝିରୁ ହିଁ ବୈଠକ ଭାଙ୍ଗିଥିବାରୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।
ପ୍ରକାଶ ଯେ, କଟରଙ୍ଗ ଗାଁ ଲୋକ ଜଙ୍ଗଲରୁ ବାହାରକୁ ଆସିବା ପାଇଁ ବନ ବିଭାଗକୁ ଲେଖି ଜଣାଇଥିଲେ। ବନ୍ୟ ଆଇନରେ କୌଣସି ବ୍ୟକ୍ତି ଅଭୟାରଣ୍ୟ ଛାଡି ବାହାରକୁ ଆସିପାରିବା ନିୟମ ରହିଛି। ଏଠାରୁ ସାମୂହିକ ଭାବେ ୧୨୧ ଜଣ ସାବାଳକ ଗାଁ ଛାଡ଼ିବା ନେଇ ସରକାରଙ୍କ ପାଖକୁ ଫାଇଲ ଅନୁମୋଦନ କରିବାକୁ ପଠାଯାଇଥିଲା। ସମସ୍ତ ବ୍ୟକ୍ତିଙ୍କ ନାମରେ ସରକାର ମୋହର ମାରିବା ସହ ଅର୍ଥ ମଞ୍ଜୁର କରିଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
ତେବେ ଆଜି ସାତକୋଶିଆ ବନବିଭାଗ ଓ ଅନୁଗୁଳ ତହସିଲଦାରଙ୍କୁ ନେଇ ଥଇଥାନ ବୈଠକ ବସିଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରି ଗଣ୍ଡଗୋଳ କରିଥିଲେ। ଏପରିକି ଗାଁ ଛାଡ଼ି ଯିବେ ନାହିଁ ବୋଲି କହିଥିଲେ। ସେମାନଙ୍କୁ କଟକ ଜିଲ୍ଲାରେ ଜାଗା ଦେଲେ ହିଁ ସେମାନେ ଅଭୟାରଣ୍ୟରୁ ବାହାରିବେ ବୋଲି ଅଡ଼ି ବସିଥିଲେ।
ତେବେ ଏନେଇ ବନ ବିଭାଗ କହିଛି ଯେ ଯେଉଁ ବ୍ୟକ୍ତି ଜାଗା ନେବେ ତାଙ୍କୁ ଜାଗା ସହ ୧୫ଲକ୍ଷ ନଗଦ ଟଙ୍କା ଦିଆଯିବ। ସେହିଭଳି ଯିଏ ଜମି ନେବେ ନାହିଁ ସେମାନଙ୍କୁ ଜମି ବାବଦକୁ ଅର୍ଥ ମିଶାଇ ମୋଟ ୨୦ଲକ୍ଷ ଟଙ୍କା ଦିଆଯିବ।
କିଛି ଲୋକ ଟଙ୍କା ନେବାକୁ ରାଜି ହୋଇଥିବା ବେଳେ ଆଉ କିଛି କଟକ ଜିଲ୍ଲାରେ ଜାଗା ଚାହିଁଥିଲେ। ଏଣୁ ହୋହଲ୍ଲା ହୋଇଥିଲା। ତେବେ ଯେଉଁମାନେ ବିସ୍ଥାପନ ହେବାକୁ ରାଜି ସେମାନେ ବ୍ୟକ୍ତିଗତ ଭାବେ ବନଖଣ୍ଡ ଅଧିକାରୀଙ୍କୁ ଲେଖି ଜଣାଇଲେ, ପୁନର୍ବାର ବିସ୍ଥାପନ ପ୍ରକ୍ରିୟା ଆଗେଇବ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା ସୂଚନା ଦେଇଛନ୍ତି।