ମୁଖ୍ୟ ଖବର

ଦୁର୍ଘଟଣାଗ୍ରସ୍ତ ପୂର୍ବତନ ସଫେଇ କର୍ମଚାରୀଙ୍କୁ ପୌର କର୍ତ୍ତୃପକ୍ଷଙ୍କ ସହାୟତା

By Biswaranjan Pattnaik

December 30, 2025

ଅନୁଗୁଳ: ଦୁର୍ଘଟଣାଗ୍ରସ୍ତ ଅବସରପ୍ରାପ୍ତ ସଫେଇ କର୍ମଚାରୀଙ୍କୁ ଆଜି ଅନୁଗୁଳ ପୌରପାଳିକା କର୍ମଚାରୀମାନେ ସହାୟତାର ହାତ ବଢ଼ାଇଥିଲେ। ଘଟଣାରୁ ପ୍ରକାଶ ଯେ ଲକ୍ଷ୍ମଣ ଗୋଚ୍ଛାୟତ ନାମକ ଜନୈକ ଅବସରପ୍ରାପ୍ତ ସଫେଇ କର୍ମଚାରୀ ଗତ ୨୮ ତାରିଖରେ ହେମସୁରପଡ଼ା ଦେଇ ଯାଉଥିବା ବେଳେ ଜଣେ ବାଇକ୍ ଆରୋହୀ ତାଙ୍କୁ ଧକ୍କା ଦେଇଥିଲେ। ଏଥିରେ ତାଙ୍କର ଡାହାଣ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

ଏ ଖବର ଶୁଣିବାକ୍ଷଣି ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ପୌର କର୍ମଚାରୀଙ୍କ ଠାରୁ ଅର୍ଥ ସଂଗ୍ରହ କରି ମୋଟ ୧୩ ହଜାର ଟଙ୍କା ନର୍ସିଂ ହୋମରେ ପହଞ୍ଚି ଲକ୍ଷ୍ମଣକୁ ପ୍ରଦାନ କରିବା ସହ ତାର ଆଶୁ ଆରୋଗ୍ୟ କାମନା କରିଥିଲେ। ତାଙ୍କ ସହ ପୌର କର୍ମଚାରୀ ଶ୍ୟାମସୁନ୍ଦର ସାସମଲ, ଦୀପକ ସାହୁ,ପ୍ରକାଶ କୁମାର ପାଳ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ କିଛି ମାସ ତଳେ ଲକ୍ଷ୍ମଣ ଅନୁଗୁଳ ପୌରପାଳିକାରୁ ଅବସର ନେଉଥିବା ବେଳେ ତାର ଇଚ୍ଛା ମୁତାବକ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ଲକ୍ଷ୍ମଣକୁ ଏକ ତାରକା ହୋଟେଲ ନେଇ ଖୁଆଇବା ସହ ଗାଡ଼ିରେ ବସାଇ ଘରେ ଛାଡ଼ି ଦେଇ ଆସିଥିଲେ।ଜଣେ ସଫେଇ କର୍ମଚାରୀକୁ ଏଭଳି ଅବସରକାଳୀନ ସମ୍ବର୍ଦ୍ଧନା ସେତେବେଳେ ସାରା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ଅବସର ପରେ ଜଣେ ଗୁରୁତର କର୍ମଚାରୀ ପାଇଁ ଆଜି ସେ ଯେଭଳି ସମବେଦନା ଓ ମଣିଷପଣିଆ ପ୍ରଦର୍ଶନ କଲେ ତାହା ମଧ୍ୟ ସହରରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।