ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର ସ୍ୱତନ୍ତ୍ର ବଜେଟ ଅଧିବେଶନ ସଭାକକ୍ଷରେ ଆୟୋଜିତ ହୋଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୌରାଧକ୍ଷ ଅକ୍ଷୟ ସାମନ୍ତ ଓ ଉପ ପୌରାଧକ୍ଷା ଅନୁପମା ସାହୁ ଅନୁପସ୍ଥିତ ରହିଥିଲେ। ବରିଷ୍ଠ କାଉନସିଲର ସଦାନନ୍ଦ ପଣ୍ଡା ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ,ଏମଇ ରବିନ ଦାସ,ସାଂସଦଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଚଳିତ ବର୍ଷର ଆୟ ବ୍ୟୟ ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟ ବ୍ୟୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ବିଭିନ୍ନ ୱାର୍ଡ଼ରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଅର୍ଥ ଯେଭଳି ବାଧକ ନସାଜେ ତା ଉପରେ ଆଲୋଚନା ହୋଇଥିଲା। ଆସନ୍ତା ବର୍ଷ ପାଇଁ ପୋୖର ଦୋକାନ ଘର ଭଡା ସ୍ଥିର ରହିଥିବା ବେଳେ ଏକ କମ୍ପାନୀକୁ ଦିଆଯାଇଥିବା କୋଠା ଓ ଏକ ନର୍ସିଂହୋମର ଭଡା ପୁନଃ ନିର୍ଦ୍ଧାରଣ ପାଇଁ ଆଉଥରେ ମାପଚୁପ କରାଯିବା ଉପରେ ଆଲୋଚନା ହୋଇଥିଲା। ଟାଟା ପାୱାର ପୌରପାଳିକା ମଧ୍ୟରେ ମନ ଇଚ୍ଛା ଟ୍ରାନସଫର୍ମର ବସାଉ ଥିବାରୁ ତା ଉପରେ ଟିକସ ଧାର୍ଯ୍ୟକରିବାକୁ କାଉନସିଲର ସଦା ପଣ୍ଡା ପ୍ରସ୍ତାବ ଦେଇଥିଲେ। ତେବେ ଆଜିର ଏହି ବୈଠକରେ ଅଧାଅଧି କାଉନସିଲରଙ୍କୁ ଦେଖିବାକୁ ମିଳିନଥିଲା ଯାହା ଅନେକଙ୍କୁ ବିସ୍ମିତ କରିଥିଲା ।