ମୁଖ୍ୟ ଖବର

କୁକୁର ବନ୍ଧ୍ୟାକରଣ ଯୋଜନା :ଆଉ ପାଦେ ଆଗେଇଲା ପୌରପାଳିକା

By Biswaranjan Pattnaik

March 27, 2025

ଅନୁଗୁଳ: ବୁଲା କୁକୁରଙ୍କ ଦୌରାତ୍ମ୍ୟର ଶିକାର ହେଉଥିବା ଅନୁଗୁଳବାସୀଙ୍କ ପାଇଁ ଏକ ଖୁସି ଖବର। ଗତ ଦୁଇ ଦଶନ୍ଧି ଭିତରେ ବୁଲା କୁକୁରଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ବଢ଼ିଛି। ଏମାନଙ୍କ ଯୋଗୁଁ ସହର ଭିତରେ ଦୁର୍ଘଟଣା ଘଟିବା ସହ ଟୀକା ନେଉ ନଥିବା ଲୋକ ଜଳାତଙ୍କର ମଧ୍ୟ ଶିକାର ହେଉଥିଲେ।

ଏଥିନେଇ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ରୁକେଶ ରୋଶନ ଦାସ ପ୍ରମୁଖ ବହୁବାର ପୌରପାଳିକା ର ଦ୍ୱାରସ୍ଥ ହୋଇ ବନ୍ଧ୍ୟାକରଣ ଯୋଜନା ଆରମ୍ଭ ପାଇଁ ସ୍ମାରକ ଦେଇଥିଲେ। ନୂଆ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ବୈଠକ ଡାକି ଯୋଜନା ପ୍ରସ୍ତୁତ କରିଥିଲେ। ଆଜି ଦ୍ଵିତୀୟ ବୈଠକରେ ପୌରପାଳିକା ଆଉ ପାଦେ ଆଗେଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରା, ପ୍ରାଣୀଧନ ବିଭାଗ ଅତିରିକ୍ତ ନିର୍ଦେଶକ ଡା କେଶବ ଚନ୍ଦ୍ର ପ୍ରଧାନ,ଅତିରିକ୍ତ ପ୍ରାଣୀଧନ ସର୍ଜନ ମିଲନ ରାଉତ,ଏସପିସିଏ ପ୍ରତିନିଧି ଡା ଭରତ ପ୍ରଧାନ, ଏଡିଭିଓ ଡା ପ୍ରତାପ ପଟନାୟକ ଏବଂ ପ୍ରାଣୀଧନ ସର୍ଜନ ଡା ଦେବାଶିଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ବନ୍ଧ୍ୟାକରଣ ସମ୍ପର୍କିତ ଉପକରଣ କିଣାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ସେହିଭଳି ବନ୍ଧ୍ୟାକରଣ ନେଇ ଡାକ୍ତର ଏବଂ କର୍ମଚାରୀଙ୍କୁ ଉଚ୍ଚତର ତାଲିମ ପାଇଁ ପଠାଯିବ। ଗାଇଡଲାଇନ ଅନୁସାରେ ଘରୋଇ ଡାକ୍ତର ଯୋଜନାରେ କାମ କଲେ ତାଙ୍କର ସର୍ବନିମ୍ନ ୨୫୦୦ ଅସ୍ତ୍ରୋପଚାର କରିଥିବା ନେଇ ଅଭିଜ୍ଞତା ଥିବା ଆବଶ୍ୟକ ହେଉଥିବାରୁ ପ୍ରଥମେ ସରକାରୀ ଡାକ୍ତରଙ୍କୁ ନେଇ ଯୋଜନା ଆରମ୍ଭ କରାଯିବ। ବୈଠକର ନିଷ୍ପତ୍ତି ନେଇ ସ୍ବେଚ୍ଛାସେବୀମାନେ ଉତ୍ସାହିତ ଥିବା ଜଣାପଡିଛି।