ମୁଖ୍ୟ ଖବର

୨୦ ଗୁଣ ଅଧିକ ଭଡ଼ାରେ ଲାଗିଛି ପୌର ଦୋକାନ ଗୃହ: ରହିଛି ବହୁ ପ୍ରଭାବଶାଳୀଙ୍କ ଘର

By Biswaranjan Pattnaik

December 19, 2024

ଅନୁଗୁଳ: ଅନୁଗୁଳ ପୌରପାଳିକାର ଆୟର ବିଭିନ୍ନ ଉତ୍ସ ମଧ୍ୟରେ ଦୋକାନ ଘର ଭଡ଼ା ଅନ୍ୟତମ। ଅନୁଗୁଳ ପୌରପାଳିକା ଅଧୀନରେ ଥିବା ହଜାରରୁ ଅଧିକ ଦୋକାନ ଘର ମଧ୍ୟରୁ ପ୍ରାୟ ପଚାଶ ପ୍ରତିଶତ ଘର ଭଡ଼ାରେ ଲାଗିଛି।

କିଛି ବର୍ଷ ତଳେ ଦୋକାନ ଘର ଲଟେରୀ ମାଧ୍ୟମରେ ବା ନିଲାମରେ ଦିଆ ଯାଉ ନଥିଲା। ସେତେବେଳ କାଉନସିଲଙ୍କର ମର୍ଜିରେ ଏବଂ କୋଟା ମାଧ୍ୟମରେ ଘର ଆବଣ୍ଟନ ହେଉଥିଲା। ଅନେକ ପ୍ରଭାବଶାଳୀ ଲୋକ ଏବଂ ଜନ ପ୍ରତିନିଧି ସେମାନଙ୍କ ପରିବାର ସଦସ୍ୟଙ୍କ ନାମରେ ଘର ହାତେଇନେଇଛନ୍ତି। ସେଥିରୁ କିଛି ବେଆଇନ ଭାବେ ବିକ୍ରି ସରିଲାଣି ଆଉ ଯାହା ଅଛି ସେମାନେ ଏହାକୁ ମଧ୍ୟ ବେଆଇନ ଭାବେ ଭଡ଼ାରେ ଲଗାଇଛନ୍ତି।

ଦୋକାନ ମାଲିକ ପୌର ପାଳିକାକୁ ମାସକୁ ୧୩ ଶହ ରୁ ୨ ହଜାର ଟଙ୍କା ମଧ୍ୟରେ ଭଡ଼ା ଦେଉଥିବା ବେଳେ ପ୍ରାୟ ୧୫ ରୁ ୨୦ ଗୁଣ ଅଧିକ ଭଡ଼ାରେ ଲାଗିଛି। ସଂଜୀବନୀ ମାର୍କେଟ,ଡେଲି ମାର୍କେଟ,ଲକ୍ଷ୍ମୀ ବଜାରରେ ଗୋଟିଏ ଗୋଟିଏ ଘର ୨୫ ରୁ ୩୦ ହଜାର ଟଙ୍କାରେ ଭଡ଼ା ଲାଗିଛି। ଯାହାର ସିକ୍ୟୁରିଟି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ନିଆ ଯାଉଛି। ପୌରପାଳିକା ଏଥିନେଇ ଚୁପ୍ ବସିଥିବା ବେଳେ ଏହାର ପ୍ରଭାବ ଅନୁଗୁଳ ଖାଉଟିଙ୍କ ଉପରେ ପଡ଼ୁଛି। ଏଥିନେଇ ନଗରପାଳଙ୍କ ମତାମତ ନେବା ସମ୍ଭବ ହୋଇ ପାରିନାହିଁ ।