ଅନୁଗୋଳ: ଅନୁଗୋଳ ସହର ଭିତରେ ଯୋଜନା ବିହୀନ ମାଳ ମାଳ କୋଠା ବାଡ଼ି। ଡ୍ରେନ୍ ପାଇଁ ଜାଗା ଛାଡୁ ନାହାନ୍ତି। ଘର କର ଭଡ଼ା ଦିଅ। ମଲ ମାଲିକ ମାନେ ମଧ୍ୟ ଜାଗା ଛାଡ଼ିବାକୁ କୁଣ୍ଠିତ। ଏଣେ ବର୍ଷା ଆସିଲେ ଘରେ ପାଣି ପଶିଲା ଆଉ ସବୁ ଦୋଷ ପୌରପାଳିକା ମୁଣ୍ଡରେ।ହେଲେ ଏସବୁ ସତ୍ତ୍ୱେ ଚଳିତ ଅବିଶ୍ରାନ୍ତ ବର୍ଷାରେ ସହରର କିଛି ଅଞ୍ଚଳ ଜଳ ପ୍ଳାବିତ ହେବା ଫଳରେ ଅନୁଗୋଳ ପୌରପାଳିକା ତତ୍ପରତା ଦେଖାଇ ସେସବୁ ଅଞ୍ଚଳରେ ପହଞ୍ଚି ପାଣି ନିଷ୍କାସନ ପାଇଁ ବାଟ କରିଥିଲା।
ବିଶେଷ କରି ୫,୮,୯ ଓ ୧୦ ନମ୍ୱର୍ ୱାର୍ଡରେ ପାଣି ମାହାର ସବୁ ବନ୍ଦ୍ ହୋଇ ଯାଇ ଥିବାରୁ ଲୋକଙ୍କ ଘରେ ପାଣି ପଶିଥିଲା। ପୌର ସଫେଇ କର୍ମଚାରୀ ମାନେ ଯେସିବି ମେସିନ୍ ସାହାଯ୍ୟରେ ପାଣି ମାହାର ବାଟ ଖୋଲା କରିବା ଫଳରେ ବନ୍ୟା ଜଳ ସହଜରେ ନିଷ୍କାସନ ହୋଇଥିଲା। ସେହିଭଳି ବ୍ଲାକ ଡାଇମଣ୍ଡ ସାମନା ଓ ସେଣ୍ଟ୍ରାଲ ଲଜ୍ ସାମନା ଡ୍ରେନ୍ ଗଳି ଗୁଡିକରେ ଜମି ରହିଥିବା ଆବର୍ଜନାକୁ କାଢ଼ିବା ପାଇଁ ଅତ୍ୟାଧୁନିକ ଭାଇବ୍ରେଟିଂ ମେସିନର ସହାୟତା ନିଆ ଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପାଣି ନିଷ୍କାସନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା।
ଯେ କେହି ପାଣି ମାହାର ବନ୍ଦ କରିଛି କିମ୍ବା ଡ୍ରେନ୍ ଅବରୋଧ କରିଛି ସେସବୁକୁ ତୁରନ୍ତ ଉଚ୍ଛେଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।। ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ସଫେଇ କର୍ମଚାରୀଙ୍କୁ ଧରି ଜଳ ପ୍ଳାବିତ ୱାର୍ଡ ରେ ଅକ୍ଲାନ୍ତ ପରିଶ୍ରମ କରି ଜଳ ନିଷ୍କାସନ କରିଥିଲେ ।