ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସତ୍ୟ ନାରାୟଣ କର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଘଟଣା ଅନୁଯାୟୀ, ଗତ ୨୦୨୩ ମସିହା ସେପ୍ଟେମ୍ବର ୨ ତାରିଖରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ପଦାପଶି ଗ୍ରାମର ଅଭିଯୁକ୍ତ ଗେଣ୍ଡୁ କିସାନ ସେହି ଗ୍ରାମର ଖୁଜାରୀ କିସାନଙ୍କୁ ଶୋଇଥିବା ଅବସ୍ଥାରେ ଟାଙ୍ଗିଆରେ ବେକକୁ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାରେ ମୃତକଙ୍କ ଝିଅ ସଂଚିତା କିସାନ ଖମାର ଥାନାରେ ଏତାଲା ଦେବା ପରେ ପୋଲିସ କେସ୍ ନଂ-୧୬୪ ଅନୁଯାୟୀ ଭାରତୀୟ ପିଙ୍ଗଳ କୋଡ୍ ଦଫା ୩୦୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚାଲିଥିବା କେସ୍ ନଂ-ସି.ଟି(ଏସ୍)-୦୧/୨୦୨୪ ର ବିଚାର ସମୟରେ ମୋଟ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଅଭିଯୁକ୍ତ ଗେଣ୍ଡୁ କିସାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ନିଜ ରାୟରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଯଦି ଅଭିଯୁକ୍ତ ଏହି ଜରିମାନା ଅର୍ଥ ଦେବାରେ ବିଫଳ ହୁଏ, ତେବେ ତାଙ୍କୁ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରସକ୍ୟୁଟର ଗଦାଧର ମୁର୍ମୁ ଓ ଅର୍ଜୁନ ଭୂତିଆ ଏହି ମକଦ୍ଦମାକୁ ପରିଚାଳନା କରୁଥିଲେ।