ମୁଖ୍ୟ ଖବର

ଅନୁଗୁଳରେ ହୋଲି ରକ୍ତରଞ୍ଜିତ: ଭୁଜାଲି ମାଡ଼ରେ ଜଣେ ମୃତ, ପୃଥକ ଘଟଣାରେ ୨ ଗୁରୁତର

By Biswaranjan Pattnaik

March 15, 2025

ଅନୁଗୁଳ: ସହରରେ ଆଜି ଶାନ୍ତି ଶୃଙ୍ଖଳାର ସହ ହୋଲି ଚାଲିଥିବା ବେଳେ ଅପରାହ୍ନ ସହର ଅଶାନ୍ତ ହୋଇ ପଡିଥିଲା। ଟାଉନ ଥାନା ଅନ୍ତର୍ଗତ ନାଖରା ସାହିରେ ମଣ୍ଟୁ ସମନ୍ତରାୟ ସାହିର ଜଣଙ୍କ ସହ ଗଣ୍ଡଗୋଳ କରୁଥିବା ବେଳେ ସାହିର ଆଜାଦ ହୁସେନ ଓ ବଳରାମ ନାମକ ଦୁଇ ଯୁବକ ଛଡାଛଡି କରିଥିଲେ। ମଣ୍ଟୁ ଏଥିରେ ଉତକ୍ଷିପ୍ତ ହୋଇପଡ଼ିଥିଲା। ଦିନ ବାରଟା ବେଳକୁ ଏଘଟଣା ଘଟି ଥିବା ବେଳେ ଅପରାହ୍ନ ପ୍ରାୟ ଦୁଇଟା ବେଳକୁ ଆଜାଦ ନିଜ ଘର ସାମନାରେ ବୁଲୁଥିବା ବେଳେ ମଣ୍ଟୁ ଭୁଜାଲି ଧରି ତା ଉପରକୁ ଝାମ୍ପି ପଡିଥିଲା। ଆଜାଦ ଉପରକୁ ଚୋଟ ପରେ ଚୋଟ ମାରି ଚାଲିଥିଲା। ଚିତ୍କାର ଶୁଣି ପଡୋଶୀ ଜମା ହୋଇଥିଲେ ଏବଂ ଗୁରୁତର ଆଜାଦକୁ ଅନୁଗୁଳ ଡାକ୍ତରାଖଣଙ୍କୁ ନେଇଥିଲେ। ସେଠାରେ ଆଜାଦକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୋଲିସ ଉଚ୍ଚ ଅଧିକାରୀ ମାନେ ଘଟଣା ନେଇ ସତର୍କ ଦୃଷ୍ଟି ରଖିଛନ୍ତି। ସେହିଭଳି ବେଡାସର ନିକଟରେ ଜିତେନ୍ଦ୍ର ନାୟକ ନାମକ ଜଣେ ଯୁବକ ଛୁରା ମାଡ଼ରେ ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। କୁଇଓ ନିକଟରେ ଅନ୍ୟ ଏକ ଘଟଣାରେ ରାଧାରମଣ ପଡ଼ାର ତୋଫାନୀ ଦେହୁରୀଙ୍କୁ ଛୁରା ମାଡ ହେବାରୁ ସେ ମଧ୍ୟ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି।