ଅନୁଗୋଳ: ଭୁବନେଶ୍ୱରର ଏକ ଘରୋଇ ଆବାସିକ କଲେଜରେ ପଢ଼ୁଥିବା ଅନୁଗୋଳ ଜିଲ୍ଲାର ଜଣେ ନାବାଳକ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛାତ୍ରଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ, ତାଙ୍କୁ ମାଡ଼ ମାରି ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକ। ମୃତକ ହେଉଛନ୍ତି କଣିହାଁ ଥାନା ବଡ଼ଗୁଣ୍ଡୁରୀ ପଞ୍ଚାୟତ ବଇଣ୍ଡା ଗ୍ରାମର ଧୀରେନ ପ୍ରଧାନଙ୍କ ପୁଅ ଦେବେନ୍ଦ୍ର ପ୍ରଧାନ।
ଦେବେନ୍ଦ୍ର ଭୁବନେଶ୍ୱରର ଏକ ଘରୋଇ ଆବାସିକ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷରେ ପଢ଼ୁଥିଲେ। ହଷ୍ଟେଲରେ ରହି ପାଠ ପଢ଼ୁଥିବା ଦେବେନ୍ଦ୍ର ବୁଧବାର ରାତିରେ ପରିବାର ସଦସ୍ୟଙ୍କ ସହ ଫୋନ୍ରେ କଥା ହୋଇଥିଲେ। ତେବେ ଗୁରୁବାର ସକାଳେ କଲେଜ କର୍ତ୍ତୃପକ୍ଷ ଫୋନ୍ କରି ତାଙ୍କ ଦେହ ଅସୁସ୍ଥ ଥିବା ଏବଂ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଜଣାଇଥିଲେ। କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ପରିବାରକୁ ଦିଆଯାଇଥିଲା।
ଖବର ପାଇ ଭୁବନେଶ୍ୱରରେ ପହଞ୍ଚିବା ପରେ ଛାତ୍ରଙ୍କ ଶରୀରରେ ମାଡ଼ ମାରିବାର ଚିହ୍ନ ଥିବା ପରିବାର ଲୋକ ଦେଖିଥିବା ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ଦେବେନ୍ଦ୍ରଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ସେମାନେ ସନ୍ଦେହ କରୁଛନ୍ତି। ଘଟଣାକୁ ନେଇ ବଇଣ୍ଡା ଗ୍ରାମ ସମେତ କଣିହାଁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ଏବେ ଅସ୍ପଷ୍ଟ ରହିଛି। ଶରୀରରେ ଥିବା ଆଘାତ ଚିହ୍ନର କାରଣ ଏବଂ ମୃତ୍ୟୁ ପଛର ପରିସ୍ଥିତି ସମ୍ପର୍କରେ ପୋଲିସ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ପରିବାର ଦାବି କରିଛନ୍ତି।