ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ବିଜେପି ସିବିଆଇ ତଦନ୍ତ ଦାବି କରିଛି। ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏହି ଘଟଣାରେ ମୁଁ ବହୁତ ମର୍ମାହତ। ଯେଉଁମାନେ ସୁରକ୍ଷା ଦାୟିତ୍ୱରେ ରହିବା କଥା ସେମାନେ ହତ୍ୟା କରିଛନ୍ତି। ଏହା ଏକ ଷଡ଼ଯନ୍ତ୍ର ହୋଇପାରେ ବୋଲି ଜୟନାରାୟଣ କହିଛନ୍ତି।କ୍ରାଇମବ୍ରାଞ୍ଚ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହେଁ। ଏହି ଘଟଣାରେ ସିବିଆଇ କିମ୍ବା ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ଏହାସହ ହତ୍ୟାକାଣ୍ଡରେ ସଂପୃକ୍ତ ପୋଲିସକୁ ପାଗଳ ଘୋଷଣା କରିବେ ବୋଲି ମୁଁ ଆଗରୁ କହିଥିଲି ବୋଲି ସେ କହିଛନ୍ତି। ଯଦି ଉକ୍ତ ପୋଲିସ ପାଗଳ ଥିଲେ ତେବେ ତାଙ୍କୁ କାହିଁକି ବନ୍ଧୁକ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।
ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଏହି ମାମଲାର ସିବିଆଇ ତଦନ୍ତ ହେବା ଦରକାର। ଯଦି ଏମିତି ଘଟଣା ହୁଏ ତେବେ ମନ୍ତ୍ରୀ ବିଧାୟକ ଓ ଜନ ପ୍ରତିନିଧିଙ୍କୁ କିଏ ସୁରକ୍ଷା ଦେବ। ଏଠାରେ ଗୁଇନ୍ଦା ଫେଲ ମାରିଛି । ଗୃହ ବିଭାଗ କଣ କରୁଛି ଓ କେଉଁ ପରିସ୍ଥିତି ଦେଇ ଗତି କରୁଛି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।