ମୁଖ୍ୟ ଖବର

ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ ଘଟଣା: ଅନୁଗୁଳ ବାଜିରାଉତ ଛାତ୍ରାବାସରେ ୮ଜଣିଆ ଟିମ୍

By Angul TV Bureau

April 06, 2023

ଅନୁଗୁଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ ଘଟଣା ପରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ସଚିବ ତଥା ନିର୍ଦେଶକ ସଂସ୍କୃତି ବିଭାଗ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସଂରକ୍ଷଣ ତଥା ନିର୍ମାଣ କାର୍ଯ୍ୟରେ ନିୟୋଜକ ଶିଳ୍ପୀ ଜୟନ୍ତ ଦାସ ପ୍ରମୁଖଙ୍କ ସହ ୮ଜଣିଆ ସ୍ବତନ୍ତ୍ରଟିମ୍ ଅନୁଗୁଳ ବାଜିରାଉତ ଛାତ୍ରାବାସରେ ପହଞ୍ଚି ଆଲୋଚନା କରି ଥିଲେ।

ଛାତ୍ରାବାସର ଶିକ୍ଷାବ୍ୟବସ୍ଥା, ବାପି ନୁମାଙ୍କ କୁଟୀର ଓ ପ୍ରତିମୂର୍ତ୍ତି ପ୍ରସଙ୍ଗକୁ ନେଇଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଭଳି ଅନୁଗୁଳରେ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ। ବିଶିଷ୍ଟ ସ୍ଵାଧୀନତାସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୁଳ ସହରରେ ପୁନଃସ୍ଥାପନ କରାଯିବ ବୋଲି ସରକାର ଏହି ନିଷ୍ପତ୍ତି ଗ୍ରହଣକରିଛନ୍ତି। ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଅନୁଗୁଳସ୍ଥିତ ଅନୁଷ୍ଠାନ ବାଜି ରାଉତ ଛାତ୍ରାବାସର ପୁନରୁଦ୍ଧାର ଓ ସଂରକ୍ଷଣ ତଥା ସମୂହ ବିକାଶପାଇଁ ସରକାର ଯଥା ଶୀଘ୍ର ପଦକ୍ଷେପ ନେବେ। ନବକୃଷ୍ଣଙ୍କ ପୋଷାକ ପରିଧାନ ନେଇ ବିବାଦ ପରେ ପ୍ରତିମୂର୍ତ୍ତି ହଟାଇ ଦେଇଛି ପ୍ରଶାସନ। ବାରମ୍ବାର ସମାଲୋଚନା ଓ ବିରୋଧ ପରେ ପ୍ରତିମୂର୍ତ୍ତି ଥିବା ଅନୁଗୁଳ ଗୋପବନ୍ଧୁ ପାର୍କ ଫାଟକରେ ତାଲା ପକାଇ ଦିଆଯାଇଥିଲା।

ପରେ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଥିଲା। ସ୍ୱତନ୍ତ୍ର ଟିମ୍ ସହ ବାଜିରାଉତ ଛାତ୍ରାବାସରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ନବକୃଷ୍ଣ ଚୌଧୁରୀଙ୍କ ଝିଅ ତଥା ବାଜିରାଉତ ଛାତ୍ରାବାସ ସମ୍ପାଦିକା କ୍ରିଷ୍ଣା ମହାନ୍ତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ବି. ତ୍ରିପାଠୀ, ସଭାପତି ଶୈଳେଯା ରବି, ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, ସଦସ୍ୟ ଡଃ ବିଶ୍ୱଜିତ, ସମ୍ପାଦକ ଧନେଶ୍ୱର ସାହୁ, ସୂର୍ଯ୍ୟ ନାରାୟଣ ନାଥ, ମାନସ ପଟ୍ଟନାୟକ ଏବଂ ଜଗନ୍ନାଥ ପ୍ରଧାନ ପ୍ରମୁଖ ଆଲୋଚନାରେ ସାମିଲଥିଲେ।

ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ନିର୍ଦେଶକ ରଞ୍ଜନ କୁମାର ଦାସ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ପ୍ରକାଶ କରିଥିଲେ ଯେ, ନବକୃଷ୍ଣ ଚୌଧୁରୀଙ୍କ ଭଳି ମହାନ ଆତ୍ମାଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିବାରେ ଯେଉଁ ମାନେ ସଂଶ୍ଲିଷ୍ଠ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶେଷରେ ଟିମର ସଦସ୍ୟ ମାନେ ଆଶ୍ରମ ନିକଟରେ ଥିବା ‘ନବତୀର୍ଥ’ ପରିସରକୁ ଯାଇ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସମାଧି ପୀଠରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।